ପ୍ରଥମଥର ଲାଗି ଟୋକିଓରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ

ଟୋକିଓ,୫ ।୮: ଜାପାନର ରାଜଧାନୀ ଟୋକିଓ ଏବେ ଖୁବ୍ ଚର୍ଚ୍ଚାରେ । ସେଠି ଅନୁଷ୍ଠିତ ହେଉଛି ଅଲିମ୍ପିକ୍ସ ୨୦୨୦ । ଗୋଟିଏ ପଟେ କରୋନା ଭୟକୁ ଅନ୍ୟପଟେ ଗତବର୍ଷ ବାତିଲ ହୋଇଥିବା ଅଲିମ୍ପିକ୍ସର ମଜା । ଏପଟେ କିନ୍ତୁ ରାଜଧାନୀ ଟୋକିଓରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରଥମଥର ପାଇଁ ରାଜଧାନୀରେ ୫୦୪୨ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହାକୁ ମିଶାଇ ଟୋକିଓରେ ସଂକ୍ରମିତଙ୍କ ସଂଖ୍ୟା ଛୁଇଁଛି ୨,୩୬,୧୩୮ । ସୂଚନାଯୋଗ୍ୟ, ଟୋକିଓରେ ଜୁଲାଇ ମାସରୁ ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇଛି । ଅନ୍ୟପଟେ ଜାପାନରେ ବୁଧବାର ୧୪,୦୦୦ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଜାପାନରେ ଏବେସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୯,୭୦,୦୦୦ରେ ପହଞ୍ଚିଲାଣି ।

 

Share