ଟୋକିଓ,୧।୮: ଟୋକିଓ ଅଲିମ୍ପିକ୍ସର ବକ୍ସିଂରେ ଭାରତକୁ ଏକ ବଡ଼ ଝଟ୍କା ଲାଗିଛି। ୯୧ କିଲୋଗ୍ରାମ ବର୍ଗରେ ବକ୍ସର ସତୀଶ କୁମାର ଉଜବେକିସ୍ତାନର ବାଖୋଦିର ଜାଲୋଲୋଭଙ୍କଠାରୁ ପରାସ୍ତ ହୋଇଛନ୍ତି। ଜାଲୋଲୋଭ ସେମାନଙ୍କୁ ୫-୦ରେ ପରାସ୍ତ କରିଥିଲେ। ଏହି ପରାଜୟ ସହିତ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିବାରେ ସତୀଶଙ୍କ ସ୍ବପ୍ନ ଭାଙ୍ଗିଯାଇଛି ସହ କିନ୍ତୁ ସେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ପ୍ରି-କ୍ୱାର୍ଟର ଫାଇନାଲ ଆଘାତ ଯୋଗୁ ତାଙ୍କ ଶରୀରରେ ୭ଟି ଷ୍ଟିଚ ପଡିଥିଲା। ଏହା ସତ୍ତ୍ୱେ ମଧ୍ୟ ସେ ବିଶ୍ୱ ଚାମ୍ପିଅନ ଜାଲୋଲୋଭଙ୍କ ସହ କଡ଼ା ସଂଘର୍ଷ କରିଥିଲେ। କିନ୍ତୁ ଏହା ତାଙ୍କ ଦୁର୍ଭାଗ୍ୟ ଥିଲା ଯେ ସତୀଶ ମ୍ୟାଚ ଜିତିପାରି ନ ଥିଲେ।
୩୨ ବର୍ଷୀୟ ବକ୍ସର ସତୀଶ ମଧ୍ୟ ତାଙ୍କ ଡାହାଣ ହାତରେ ପ୍ରତିଦ୍ୱନ୍ଦୀଙ୍କ ସହ ଲଢିଥିଲେ। କିନ୍ତୁ ଏହି ମ୍ୟାଚରେ ବିଶ୍ୱ ଚାମ୍ପିଅନ ଜାଲୋଲୋଭ ଭାରତୀୟ ବକ୍ସରଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ରକ୍ତରେ ଜୁଡୁବୁଡୁ ହୋଇ ମଧ୍ୟ ଲଢି ଚାଲିଥିଲେ ସତୀଶ। ଏହି ମ୍ୟାଚରେ ସତୀଶ ଆହତ ସିଂହ ପରି ପ୍ରତିଦ୍ୱନ୍ଦ୍ୱୀଙ୍କୁ ସାମ୍ନା କରିଥିଲେ। ଏହି କାରଣରୁ ଜିତିବା ପରେ ଜାଲୋଲୋଭ ନିଜେ ତାଙ୍କୁ ପ୍ରଶଂସା କରିଥିଲେ। ଅଲିମ୍ପିକ୍ସରେ ସୁପର ହେଭିୱେଟ ଇଭେଣ୍ଟ ପାଇଁ ଯୋଗ୍ୟତା ହାସଲ କରିଥିବା ସତୀଶ ପ୍ରଥମ ଭାରତୀୟ ବକ୍ସର ଥିଲେ। ଏଥି ସହିତ ବଖୋଦିର ଜାଲୋଲୋଭ ତିନିଥର ଏସୀୟ ଚାମ୍ପିୟନ ହୋଇଛନ୍ତି।
ସତୀଶ କୁମାରଙ୍କ ପରାଜୟ ପରେ ପୁରୁଷ ବକ୍ସିଂ ଇଭେଣ୍ଟରେ ଭାରତର ଚ୍ୟାଲେଞ୍ଜ ଶେଷ ହୋଇଛି। ମହିଳା ବିଭାଗରେ, ଲଭଲିନା ବୋର୍ଗୋହେନଙ୍କ ଏକମାତ୍ର ଆଶା ରହିଛି। ସେ ବକ୍ସିଂରେ ଭାରତର ପଦକ ନିଶ୍ଚିତ କରିଛନ୍ତି। ସେ ଏବେ ସେମିଫାଇନାଲରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଭେଟିବେ।