ନୂଆଦିଲ୍ଲୀ, ୩ା୭-ଟୋକିଓ ଅଲିମ୍ପିକ୍ସ କ୍ରମେ ପାଖେଇ ଆସିଥିବାବେଳେ ଉଦ୍ଘାଟନୀ ସମାରୋହରେ କେଉଁ ଆଥ୍ଲେଟ ଭାରତୀୟ ପତାକାଧାରୀ ହେବେ ତାହାକୁ ନେଇ ଉତ୍ସାହ ବଢ଼ିଛି। ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଜୁଲାଇ ୫ରେ ପତାକାଧାରୀଙ୍କ ନାମ ଘୋଷଣା କରିବା ସମ୍ଭାବନା ରହିଛି। ଏହା ମଧ୍ୟରେ କିଛି ଆଥ୍ଲେଟଙ୍କ ନାମ ଶର୍ଟଲିଷ୍ଟ ହୋଇଥିବା ଜଣା ଯାଇଛି। ସେମାନଙ୍କ ମଧ୍ୟରେ ଭାରତୀୟ ମହିଳା ବ୍ୟାଡ୍ମିଣ୍ଟନ ତାରକା ପି.ଭି. ସିନ୍ଧୁ ଏବଂ ରେସଲର ବଜରଙ୍ଗ ପୁନିଆ ଆଗରେ ରହିଥିବା ସୂଚନା ମିଳିଛି। ତେବେ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରାଯାଇନାହିଁ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଓ ଆଇଓଏ ମଧ୍ୟରେ ଆଲୋଚନା ଚାଲିଛି। ଏଥିପାଇଁ ହକ୍ଦାର ଆଥ୍ଲେଟଙ୍କୁ ସୁଯୋଗ ଦିଆଯିବା ଉପରେ ଗୁରୁତ୍ୱାରୋପ କରାଯାଉଛି।