Categories: ଖେଳ

ଟୋକିଓ ଅଲିମ୍ପିକ୍ସ: ନୂଆ କରୋନା ନିୟମ ଲାଗୁ କଲା ଜାପାନ

ଟୋକିଓ,୧୦।୪(ପି.ଟି.): ଆଗକୁ ଅଲିମ୍ପିକ୍ସ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିବାରୁ ଆୟୋଜକ ଜାପାନ କୋଭିଡ୍‌-୧୯ର ବର୍ଦ୍ଧିତ ପ୍ରଭାବକୁ ଦୃଷ୍ଟିରେ ରଖି ନୂଆ ନିୟମ ଜାରି ରଖିଛି। ରାଜଧାନୀ ଟୋକିଓରେ ସଂକ୍ରମଣକୁ ରୋକିବା ପାଇଁ ଶୁକ୍ରବାର ବିଭିନ୍ନ କଟକଣା ଜାରି କରିଛନ୍ତି ସରକାର। ଟୋକିଓରେ ଏ ପର୍ଯ୍ୟନ୍ତ ବହୁ ଲୋକ ଟିକା ନେଇନାହାନ୍ତି।
ବାର୍‌ ଓ ରେଷ୍ଟୁରାଣ୍ଟ ଖୋଲିବା ନେଇ ନୂଆ ନିୟମ ଜାରି କରାଯାଇଛି। ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ଦଣ୍ଡିତ କରାଯିବାକୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗା ଟୋକିଓ ଗଭର୍ନରଙ୍କୁ ବାର୍‌ ଓ ରେଷ୍ଟୁରାଣ୍ଟ ସ୍ବଳ୍ପ ସମୟ ପାଇଁ ଖୋଲିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ଯେଉଁମାନେ ନିୟମ ପାଳନ କରୁଛନ୍ତି ସେମାନଙ୍କୁ କ୍ଷତିପୂରଣ ଦେବାକୁ କୁହାଯାଇଛି। ସୋମବାରଠାରୁ ମେ’ ୧୧ ପର୍ଯ୍ୟନ୍ତ ଏହି ନିୟମ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଟୋକିଓରେ ଦେଖାଦେଇଥିବା ଅଧିକାଂଶ ମାମଲା ନାଇଟ ଲାଇଫ୍‌ ଓ ଖାଇବା ପିଇବା ଯୋଗୁ ସୃଷ୍ଟି ହୋଇଛି। ପଶ୍ଚିମ ଜାପାନ ଓ ଓକିନାଓ୍ବାରେ ମଧ୍ୟ କଟକଣା କଡ଼ାକଡ଼ି କରାଯିବ ବୋଲି କୁହାଯାଇଛି। ଓସାକା, ହ୍ୟୋଓଗୋ ଓ ଉତ୍ତରରେ ଥିବା ମିୟାଗିରେ ସୋମବାରଠାରୁ ସଙ୍କଟର ସ୍ଥିତି ନେଇ ସତର୍କତାକୁ ଦୃଢ କରାଯାଇଛି। ଗତ ଜାନୁୟାରୀରୁ କଟକଣା କୋହଳ ହେବା ପରେ ପ୍ରତିଦିନ କରୋନା ମାମଲାରେ ବୃଦ୍ଧି ହୋଇଛି। ଏନେଇ ଅବଶ୍ୟ ଜାପାନ ସରକାର ସମାଲୋଚନାର ଶିକାର ହୋଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଓସାକାରେ ମେଡିକାଲ ଇମର୍ଜେନ୍ସି ଲାଗୁ କରାଯାଇଛି। ଓସାକାରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ ମଶାଲ ରାଲିକୁ ସର୍ବସାଧାଣ ସଡକରେ ଆୟୋଜନ ନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ମାସ୍କ ବ୍ୟବହାର କରିବାସହ ସାମାଜିକ ଦୂରତା ରକ୍ଷା କରିବାକୁ ବାରମ୍ବାର କୁହାଯାଇଛି। ଜାପାନର ୧୦ ଲକ୍ଷ ଲୋକ ଅର୍ଥାତ ମୋଟ୍‌ ଜନସଂଖ୍ୟାର ଏକ ପ୍ରତିଶତ ଲୋକ ପ୍ରଥମ ପର୍ଯ୍ୟାୟରେ ଟିକା ନେଇଛନ୍ତି। ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି।

Share