କ୍ଷତି ସହୁଛନ୍ତି ତୋଳାଳି, ମାଲାମାଲ ହେଉଛନ୍ତି ବେପାରୀ

ଡାବୁଗାଁ,୧୮ା୫ (ଡି.ଏନ୍‌.ଏ.): ଲଘୁ ବନଜାତ ଦ୍ରବ୍ୟର ଦର ଧାର୍ଯ୍ୟ ଏବଂ ବିକ୍ରି କରିବା ପାଇଁ ସରକାର ପଞ୍ଚାୟତ ସମିତିକୁ ଦାୟିତ୍ୱ ଟେକିଦେଇଛନ୍ତି। ଏହା କିନ୍ତୁ କେବଳ କାଗଜକଲମରେ ସୀମିତ ରହିଯାଉଛି । ଦର ତାଲିକା ପଞ୍ଚାୟତର ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକାରୀଙ୍କ ପାଖରେ ଅପହଞ୍ଚ ହୋଇ ରହିଯାଉଛି। ଦ୍ରବ୍ୟର ମୂଲ୍ୟ ବେପାରୀଙ୍କ ଉପରେ ନିର୍ଭର କରୁଛି। ବେପାରୀ ତାଙ୍କୁ ସୁହାଇଲା ଭଳି ମନ ମୁତାବିକ ଦର ତାଲିକା ଧାର୍ଯ୍ୟ କରୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଞ୍ଚଳରେ।
ପ୍ରତିଦିନ ସକାଳୁ ଉଠି ଶାଳମଞ୍ଜି ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଉଛନ୍ତି ଝାଲିଆଗୁଡ଼l ଗ୍ରାମର ଆଦିବାସୀ ମହିଳା ଧନଲି ଭତ୍ରା, ଲକ୍ଷ୍ମୀ ଭତ୍ରା, ରତ୍ନା ଭତ୍ରା, ମୂଳା ଭତ୍ରା। ଘରକୁ ଫେରିବା ବେଳକୁ ସା ହେଉଛି। ଦିନକୁ ଜଣ ପିଛା ୧୦ରୁ ୧୫ କେଜି ଶାଳମଞ୍ଜି ସଂଗ୍ରହ କରୁଛନ୍ତି। କିନ୍ତୁ ଶାଳମଞ୍ଜିର ନିର୍ଦ୍ଧାରିତ ସରକାରୀ ଦର କେତେ ସେମାନେ ଜାଣିନାହାନ୍ତି। ହାଟକୁ ନେଇ ବେପାରୀଙ୍କୁ କେଜି ପିଛା ୧୨ରୁ ୧୫ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଟିଡିସିସି ତାଲିକାରେ କିନ୍ତୁ ଶାଳମଞ୍ଜି କେଜି ୨୦ ଟଙ୍କା ରହିଛି। ସେହି ହିସାବରେ କେଜି ପିଛା ୫ରୁ ୮ଟଙ୍କାର କ୍ଷତି ସହୁଛନ୍ତି ଆଦିବାସୀ ମହିଳାମାନେ। ଏ ସମ୍ପର୍କରେ ଡାବୁଗାଁ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଏ.ଡି. ପ୍ରସାଦଙ୍କୁ ପଚାରିବାରୁ ଜଙ୍ଗଲଜାତ ଦ୍ରବ୍ୟଗୁଡିକର ଦର ପ୍ରତିବର୍ଷ ଅକ୍ଟୋବରରେ ନିର୍ଦ୍ଧାରିତ ହେଉଛି। କିନ୍ତୁ ତାଙ୍କ ପାଖରେ ଏବେ ଉକ୍ତ ଦର ତାଲିକା ନାହିଁ ବୋଲି ସେ କହିଛନ୍ତି। ଏଥିରୁ ଜଳ ଜଳ ହୋଇ ଦିଶୁଛି, କିଭଳି ଦର ତାଲିକା ପ୍ରସ୍ତୁତ କରାଯାଉଛି। ସରକାରୀ କର୍ମଚାରୀଙ୍କ ଅବହେଳାରୁ ନିରୀହ ଆଦିବାସୀ ଶୋଷଣର ଶିକାର ହେଉଛନ୍ତି।
ସୂଚନା ଥାଉକି ୨ ହଜାର ୫୧୯ ବର୍ଗ କି.ମି. ବିସ୍ତୀର୍ଣ୍ଣ ଜଙ୍ଗଲ ରହିଛି । ସେଥିରେ ପ୍ରାୟ ୫୦ ପ୍ରତିଶତରୁ ଅଧିକ ଶାଳବଣ ରହିଛି। ଏକଦା ଜିଲାରୁ ପ୍ରତିବର୍ଷ ଏକ ଲକ୍ଷ କୁଇଣ୍ଟାଲ ଶାଳମଞ୍ଜି ବିକ୍ରି ହେଉଥିଲା ବୋଲି ଜଣେ ଉଚ୍ଚ ପଦସ୍ଥ ବନ ଅଧିକାରୀ କହିଛନ୍ତି । ୨୦ ବର୍ଷରୁ ଅଧିକ ହେବ ପଞ୍ଚାୟତ ବିଭାଗକୁ ଲଘୁ ବନଜାତ ଦ୍ରବ୍ୟର ବିକ୍ରିବଟା ଓ ପରିଚାଳନା ଦାୟିତ୍ୱ ଦିଆଯାଇଛି। ସେବେଠୁ ପଞ୍ଚାୟତଗୁଡ଼ିକ କେବଳ ବେପାରୀଙ୍କୁ ଲାଇସେନ୍ସ ଦେଇ କାମ ସାରି ଦେଇଛନ୍ତି। ଶାଳମଞ୍ଜି ଗୋଟାଳି ଉଚିତ ମୂଲ୍ୟ ପାଉଛନ୍ତି କି ନାହିଁ କାହାରି ନଜରରେ ନାହିଁ। ମହୁଲ ସମେତ ୬୪ ପ୍ରକାର ଲଘୁ ବନଜାତ ଦ୍ରବ୍ୟ ଉପରେ ବନବାସୀ ନିର୍ଭର କରୁଥିବାବେଳେ ସରକାର ପଞ୍ଚାୟତକୁ ଦାୟିତ୍ୱ ଦେଇ ଦେଇ ଏହାର ସମୀକ୍ଷା କରୁନାହାନ୍ତି। ଏ ସମ୍ପର୍କରେ ଟିଡିସିସି ନିର୍ଦ୍ଦେଶକ ଅଖିଳ ଭତ୍ରାଙ୍କୁ ପଚାରିବାରୁ ଟିଡିସିସି ପକ୍ଷରୁ ଶାଳମଞ୍ଜି କିଣାଯିବ। ଜିଲାରେ ଟିଡିସିସିର ଭିତ୍ତିଭୂମି ଏବଂ ଗୋଦାମ ନିର୍ମାଣ ଦିଗରେ ଉଦ୍ୟମ କରାଯିବ ବୋଲି କହିଛନ୍ତି।
Share