ବଙ୍ଗାଳି ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ୨୪ ବର୍ଷ ବୟସରେ ପରଲୋକ

କୋଲକାତା: ମନୋରଞ୍ଜନ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ବଙ୍ଗାଳି ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କର ପରଲୋକ ହୋଇଛି । ବ୍ରେନ୍ ଷ୍ଟ୍ରୋକ୍ ଯୋଗୁ କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଏଣ୍ଡ୍ରିଲାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୪ ବର୍ଷ ବୟସ ହୋଇଥିଲା । କିଛିଦିନ ହେବ ଅଭିନେତ୍ରୀ କୋମାରେ ଥିଲେ । ତାଙ୍କର ପ୍ରଶଂସକ, ବନ୍ଧୁ ପରିଜନ ତଥା ସାଥି କଳାକାରମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଥିଲେ । ହେଲେ ରବିବାର ଏଣ୍ଡିଲାଙ୍କର ମୃତ୍ୟୁରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି।

ମାତ୍ର ୨୪ ବର୍ଷ ବୟସରେ ଏଣ୍ଡ୍ରିଲା ଶର୍ମାଙ୍କର ପରଲୋକ ହୋଇଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ଜୀବନରେ କ୍ୟାନସର ଭଳି ଜଟିଳ ରୋଗକୁ ହରାଇଥିବା ଅଭିନେତ୍ରୀ ଶେଷରେ ବ୍ରେନ ଷ୍ଟ୍ରୋକ ଯୋଗୁ ପ୍ରାଣ ହରାଇଛନ୍ତି । ନଭେମ୍ବର ୧ରେ ତାଙ୍କୁ ହଠାତ୍ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ୧୪ ନଭେମ୍ବରକୁ ତାଙ୍କୁ ଏକାସହ କିଛି ଥର ହାର୍ଟ ଆଟାକ ହୋଇଥିଲା । ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡି ଯାଇଥିଲା । ଏହାପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ୨୦ ନଭେମ୍ବରରେ ଏଣ୍ଡ୍ରିଲା କୋଲକାତାର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ଏହା ପୂର୍ବରୁ ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ସବ୍ୟସାଚୀ ଚୌଧୁରୀ ସୋସିଆଲ ମିଡିଆର ସାହାରା ଏଣ୍ଡ୍ରିଲାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ଏହାସହ ସେ ଏକ ଇମୋଶନାଲ ପୋଷ୍ଟ ବି ଲେଖିଥିଲେ । ହେଲେ ଏଣ୍ଡ୍ରିଲାଙ୍କ ମୃତ୍ୟୁ ସବ୍ୟସାଚୀଙ୍କ ଜୀବନରେ ଏକ ବଡ ଧକ୍କା ଦେଇଛି । ଖୁବ୍ କମ ସମୟ ମଧ୍ୟରେ ଏଣ୍ଡ୍ରିଲା କିଛି ଟେଲିଭିଜନ ସିରିଏଲରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ ।

Share