Advertisement

ଟମାଟୋ କିଣାକୁ ନେଇ ଛୁରାମାଡ଼, ଦୁଇ ଗିରଫ

ଘସିପୁରା/ଆନନ୍ଦପୁର,୫ା୮(ନିରଞ୍ଜନ ସାହୁ/ସନ୍ତୋଷ ରାଉତ): ଘସିପୁରା ଥାନା ବାଲିପାଳ ହାଟ ପଡ଼ିଆରେ ଛୁରାମାଡ଼ ଘଟଣାକୁ ନେଇ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ନୀତିନ ନାୟକ ଓରଫ ଫୁକୁନ ଓ ହାତୀ ଓରଫ ହରେକୃଷ୍ଣ ନାୟକ। ଶୁକ୍ରବାର ବାଲିପାଳ ହାଟପଡ଼ିଆରେ ଟମାଟୋ କିଣାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ ଦିଲ୍ଲୀପ ମୁଖୀ ଗୁରୁତର ହୋଇଥିବା ବେଳେ ଅଭିଜିତ୍‌ ବିନ୍ଧାଣି ଆହତ ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ସୂଚନାନୁଯାୟୀ, ଦିଲ୍ଲୀପ ନିୟମିତ ହାଟପଡ଼ିଆକୁ ଝାଡୁକରିଥାନ୍ତି। ଏହା ବଦଳରେ ହାଟପାଳି ଦିନ ବ୍ୟବସାୟୀମାନେ ତାଙ୍କୁ ୫ ଟଙ୍କା ଲେଖାଏ ପାଉଣା ଦେବା ସହିତ କିଏ କେମିତି ପନିପରିବା ମଧ୍ୟ ଦେଇଥାନ୍ତି। ସେହିଦିନ ହାଟରୁ ଏକ ପରିବା ଦୋକାନରୁ କେହି ଜଣେ ୧ କିଲୋ ଟମାଟୋ ନେବା ଘଟଣାରେ ବ୍ୟବସାୟୀ ସନ୍ଦେହ କରି ଦିଲ୍ଲୀପଙ୍କୁ ପଇସା ମାଗିଥିଲେ। ଏପରିକି ଘଟଣାକୁ ନେଇ ବ୍ୟବସାୟୀ ଓ ଦିଲ୍ଲୀପଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସାରୁ ବ୍ୟବସାୟୀ  ତାଙ୍କ ସହଯୋଗୀଙ୍କ ସହିତ ଛୁରିରେ ଝାଡୁଦାର ଦିଲ୍ଲୀପ ଓ ତାଙ୍କ ସହିତ ଥିବା ଅନ୍ୟଜଣଙ୍କୁ ଆକ୍ରମଣ କରିଥିଲେ। ଅଭିଯୋଗ ଆଧାରରେ ଘସିପୁରା ଥାନାରେ  ମାମଲା ରୁଜୁ ହୋଇଥିବା ଏବଂ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ବିବତ୍ସ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share