Categories: ଜାତୀୟ

ଟମୋଟୋ ଫ୍ଲୁରେ ୮୦ରୁ ଊର୍ଦ୍ଧ୍ୱ ଶିଶୁ ଆକ୍ରାନ୍ତ

ଥିରୁଭାନ୍ତପୁରମ,୧୪।୫: କରୋନା ପରେ ଏବେ ଦେଶରେ ଆଉ ଏକ ରୋଗ ଟମାଟୋ ଫ୍ଲୁ ସମସ୍ତଙ୍କ ଚିନ୍ତା ବଢ଼ାଉଛି। କେରଳରେ ଏପର୍ଯ୍ୟନ୍ତ ୮୦ରୁ ଊର୍ଦ୍ଧ୍ୱ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ଟମାଟୋ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ଅଧିକାଂଶ ପିଲାଙ୍କର ବୟସ ୫ବର୍ଷରୁ କମ୍‌ ରହିଥିବା ନେଇ କେରଳର ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ କେରଳ ସ୍ବାସ୍ଥ୍ୟମନ୍ତ୍ରୀ ଏକ ବୟାନ ଜାରି କରି କହିଛନ୍ତି, ଏଭଳି ସମୟରେ ଅଧିକ ଯତ୍ନବାନ ହେବା ଉଚିତ। ଯେପରି ଏହି ରୋଗ ଅନ୍ୟ ପିଲାମାନଙ୍କ ନିକଟରେ ନ ବ୍ୟାପେ। କାରଣ ଏହା ଅତ୍ୟନ୍ତ ସଂକ୍ରାମକ ବୋଲି ସେ କହିଛନ୍ତି। ଏହି ଫ୍ଲୁ ଜଳ, ମଳ ଏବଂ ତରଳ ପଦାର୍ଥ ସହିତ ସିଧାସଳଖ ସମ୍ପର୍କରେ ଆସିଲେ ବ୍ୟାପିଥାଏ। ଅନ୍ୟପଟେ ଜେନେରାଲ ଫିଜିସିଆନ ଡକ୍ଟର ମନୀଷ ମୁନିନ୍ଦ୍ରାଙ୍କ ଅନୁଯାୟୀ, ଟମାଟୋ ଜ୍ୱର ଏକ ଭାଇରାଲ ସଂକ୍ରମଣ। ଏହା ପ୍ରାୟତ ୫ପାଞ୍ଚ ବର୍ଷରୁ କମ୍‌ ପିଲାମାନଙ୍କ ମଧ୍ୟରେ ଦେଖାଦେଇଥାଏ। ଏହି ଭାଇରାଲ ସଂକ୍ରମଣର ନାମ ଟମାଟୋ ଫ୍ଲୁ ରହିଛି। କାରଣ ଟମାଟୋ ଫ୍ଲୁରେ ସଂକ୍ରମିତ ହେଲେ ପିଲାମାନଙ୍କ ଶରୀରରେ ଟମାଟୋ ଭଳିି ଲାଲ ରଙ୍ଗର ଦାଗ ହୋଇଯାଇଥାଏ। ଏଥିଯୋଗୁ ସେମାନଙ୍କ ଚର୍ମରେ ପୋଡ଼ାଜଳା ଏବଂ କୁଣ୍ଡେଇ ହୋଇଥାଏ। ଏହି ରୋଗରେ ଆକ୍ରାନ୍ତ ହୋଇଥିବା ପିଲାମାନଙ୍କୁ ଅତ୍ୟଧିକ ଜ୍ୱର ହେବା ସହ ଡିହାଇଡ୍ରେସନ ସମସ୍ୟା ଏବଂ ଶରୀର ଓ ଗଣ୍ଠିରେ ଯନ୍ତ୍ରଣା ହୋଇଥାଏ ବୋଲି ଡାକ୍ତର ମନୀଷ କହିଛନ୍ତି।

Share