ଟମାଟୋ ମାରିଲା ଡବଲ ସେଞ୍ଚୁରୀ: କିଲୋପିଛା ଦାମ ଟପିବ ୨୫୦…

ନୂଆଦିଲ୍ଲୀ,୧୨।୭ : ଦେଶରେ ଟମାଟୋର ମୂଲ୍ୟ ବୃଦ୍ଧି ପାଇବା ପରେ ଆଉ କମିବାର ନା ନେଉନି। ଭାରତୀୟ ବଜାରରେ ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ଦାମ ଡବଲ ସେଞ୍ଚୁରୀ ଅର୍ଥାତ, ୨୦୦ ଟଙ୍କାରେ ପହଞ୍ଚିଛି। ବଜାର ବିଶେଷଜ୍ଞମାନେ କହିଛନ୍ତି ଟମାଟୋ ମୂଲ୍ୟରେ ବୃଦ୍ଧି ଅବଧି ଜାରି ରହିବ ଏବଂ ମୂଲ୍ୟ କିଲୋଗ୍ରାମ ପିଛା ୨୫୦ ଟଙ୍କା ପର୍ଯ୍ୟନ୍ତ ଅବା ଏହାଠାରୁ ଅଧିକକୁ ଯାଇପାରେ। ତେବେ ଆସନ୍ତା ୧୫ ରୁ ୩୦ ଦିନ ମଧ୍ୟରେ ଟମାଟୋର ମୂଲ୍ୟ ହ୍ରାସ ପାଇବା ଆରମ୍ଭ କରିବ।

ଖୁଚୁରା ବଜାରରେ ଟମାଟୋ କିଲୋଗ୍ରାମ ପିଛା ୧୦୦ ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି, ଯେତେବେଳେ କି ଅନେକ ସହରରେ ଏହାର ଦାମ ୨୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ଟମାଟୋର ମୂଲ୍ୟ ବୃଦ୍ଧି ଭାରତୀୟ ରୋଷେଇ ଘରର ବଜେଟକୁ ବିଗାଡ଼ି ଦେଇଛି ।

ରାଜଧାନୀ ଦିଲ୍ଲୀ ବିଷୟରେ କହିବାକୁ ଗଲେ ଜୁନ ୨ ରୁ ଜୁଲାଇ ୩ ମଧ୍ୟରେ ଆଜାଦପୁର ମଣ୍ଡିରେ ଟମାଟୋର ମୂଲ୍ୟ ୧,୩୧୫ ପ୍ରତିଶତ ବୃଦ୍ଧି ପାଇଛି। ଏହି ଅବଧିରେ ଟମାଟୋର ମୂଲ୍ୟ କ୍ୱିଣ୍ଟାଲ ପିଛା ୪୫୧ ରୁ ୬,୩୮୧ ଟଙ୍କାକୁ ବୃଦ୍ଧି ପାଇଛି। ବିଶେଷଜ୍ଞଙ୍କ ଅନୁଯାୟୀ ଆଜାଦପୁର ମଣ୍ଡିରେ ଟମାଟୋର ଆଗମନ ୪୦ ପ୍ରତିଶତ ହ୍ରାସ ପାଇଛି, ଯାହାର ପ୍ରଭାବ ମୂଲ୍ୟ ବୃଦ୍ଧି ଆକାରରେ ଦେଖାଯାଉଛି। ମୁଖ୍ୟ ଉତ୍ପାଦନ କ୍ଷେତ୍ରରୁ ଟମାଟୋ ଯୋଗାଣ ବ୍ୟାହତ ହୋଇଛି। ଟମାଟୋ ଯୋଗାଣରେ ବାଧା ସୃଷ୍ଟି ହେବାର ସବୁଠାରୁ ବଡ କାରଣ ହେଉଛି ମାର୍ଚ୍ଚ-ଏପ୍ରିଲ ମାସରେ କର୍ନାଟକରେ ପ୍ରବଳ ବର୍ଷା , କୁଆପଥର ବର୍ଷା ଏବଂ ଫସଲରେ ଦେଖାଦେଇଥିବା ରୋଗ।

ବଜାର ବିଶେଷଜ୍ଞଙ୍କ ଅନୁଯାୟୀ ଟମାଟୋ ହେଉଛି ଏକ ସ୍ବଳ୍ପ ସମୟର ଫସଲ, ଯାହା ବିଭିନ୍ନ ସ୍ଥାନରେ ବର୍ଷରେ ଅନେକ ଥର ହୋଇଥାଏ। କର୍ନାଟକ ବ୍ୟତୀତ ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ଗୁଜୁରାଟରେ ଟମାଟୋ ସର୍ବାଧିକ ଉତ୍ପାଦିତ ହୁଏ । ଏହି ରାଜ୍ୟଗୁଡିକରେ ଭାରତରେ ଟମାଟୋ ଉତ୍ପାଦନର ୪୮ ପ୍ରତିଶତ ଉତ୍ପାଦିତ ହୋଇଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ଏଥର କର୍ନାଟକର ଟମାଟୋ ଫସଲର ୫୦ ପ୍ରତିଶତ ଭାଇରସ ଟମାଟୋ ପତ୍ର କର୍ଲ କାରଣରୁ ନଷ୍ଟ ହୋଇଯାଇଛି।

 

Share