ଟମାଟୋ ଦର ଆକାଶଛୁଆଁ, ଗ୍ରାହକ ଅତିଷ୍ଠ

କେନ୍ଦ୍ରାପଡ଼ା,୨୬ା୬ (ଜଗନ୍ନାଥ ଧଳ): ପଟ୍ଟାମୁଣ୍ଡାଇ ଓ ଆଖପାଖ ଅଞ୍ଚଳରେ ଟମାଟୋ ଦର ଆକାଶଛୁଆଁ ହୋଇଛି। ସାଧାରଣ ଖାଉଟି ଟମାଟୋ ବଜାରରୁ କିଣିପାରୁନାହିଁ। ୨ ସପ୍ତାହ ମଧ୍ୟରେ ଟମାଟୋ ଦର ୪୦ ଟଙ୍କାରୁ ବୃଦ୍ଧି ପାଇ ୮୦ ଟଙ୍କାରେ ପହଞ୍ଚତ୍ଛି। ଚାଷୀ ସୁରେନ୍ଦ୍ର ପରିଡା କୁହନ୍ତି, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଟମାଟୋ ଗଛଗୁଡ଼ିକ ଭୁରୁଙ୍ଗା ମାରିଯିବା ଫଳରେ ଫଳ ଧରୁନାହିଁ। କେନାଲ ପାଣି ନ ଆସିବାରୁ ଗାଡିଆ, ପୋଖରୀ ସବୁ ଶୁଖିଲା ପଡ଼ିଛି। ଚାଷୀମାନେ ଟମାଟୋ ଫସଲରେ ପାଣି ମଡ଼ାଇ ପାରୁନାହାନ୍ତି। ଫଳରେ ଗଛଗୁଡ଼ିକ ମରିଯିବାକୁ ବସିଥିବା ବେଳେ ଶନିବାରଠାରୁ ମୌସୁମୀ ପ୍ରଭାବରେ ଝିପିଝିପି ବର୍ଷା ହେଉଛି। ମାତ୍ର ଟମାଟୋ ଫସଲ ଉଜୁଡ଼ି ଯାଉଥିବାରୁ ଦର ବଢ଼ିଛି ବୋଲି ସେ କହୁଛନ୍ତି। ସେହିପରି ଧୋୟାଞ୍ଚଳ ଚାଷୀ ପ୍ରଫୁଲ୍ଲ ପ୍ରଧାନ କୁହନ୍ତି, ଧୋୟାଞ୍ଚଳରେ ପ୍ରାୟ ଚାଷୀ ଟମାଟୋ ଚାଷ କରିଥାନ୍ତି। ଏକର ଏକର ଜମିରେ ଟମାଟୋ ଫଳେ। କିନ୍ତୁ ଏବର୍ଷ ଚିତ୍ର ଭିନ୍ନ। ଟମାଟୋ ଗଛ ଲାଗିଲା। ଗଛ ହୃଷ୍ଟପୁଷ୍ଟ ହୋଇ ବଢିଲା, କିନ୍ତୁ ଟମାଟୋ ଫଳିଲାନି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ଫଳ ଧରି ନ ଥିବା କ୍ଷେତକୁ ଦେଖି ଟମାଟୋ ଚାଷୀ ଚିନ୍ତାରେ ପଡିଛନ୍ତି। ଧାର କରଜ କରି ଚାଷ କରିଥିବାବେଳେ ପରିବାର ପ୍ରତିପୋଷଣ ଓ ଋଣ ଟଙ୍କା ଶୁଝିବାକୁ ନେଇ ଚିନ୍ତାରେ ପଡିଛନ୍ତି। ଏଠାକାର ଟମାଟୋ ଆଖପାଖ ଅଞ୍ଚଳରେ ବିକ୍ରି ସହ କଟକ ଓ ଯାଜପୁର ପରି ମାର୍କେଟକୁ ସୁଲଭ ଦରରେ ଯୋଗାଇ ଦିଆଯାଏ। ଆଗକୁ ଯଦି ପ୍ରଶାସନ ପକ୍ଷରୁ ଚାଷୀକୁ ରିହାତି ଦରରେ ସାର ଓ ବିହନ ସହ ଆର୍ଥତ୍କ ସହାୟତା ଯୋଗାଇ ଦିଆଯିବ ତେବେ ଚାଷୀକୁଳ ଉପକୃତ ହେବେ। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶୀତଳଭଣ୍ଡାର ନ ଥିବାରୁ ଟମାଟୋକୁ ସଂରକ୍ଷଣ କରାଯାଇ ପାରୁ ନାହିଁ ବୋଲି ସ୍ଥାନୀୟ ବ୍ୟବସାୟୀମାନେ କହିଛନ୍ତି। ଟମାଟୋ ଆମଦାନୀ କମ୍‌ ହେଉଥିବାରୁ ଏହା ଲୋକଙ୍କ ଚାହିଦା ପୂରଣ କରିବାରେ ସକ୍ଷମ ହେଉନାହିଁ। ଏହି ସୁଯୋଗରେ ପାଇକାରୀ ବିକ୍ରେତାମାନେ ଦର ବଢ଼ାଇ ଚାଲିଛନ୍ତି ବୋଲି ବହୁ ଗ୍ରାହକ କହିଛନ୍ତି।

Share