ଲକ୍ଷ୍ନୌ,୯।୭: ଆଜିକାଲି ଟମାଟର ମୂଲ୍ୟ ଆକାଶଛୁଆଁ ରହିଛି। ବାରାଣସୀ ସମେତ ଦେଶର ଅନେକ ସହରରେ ଟମାଟର ମୂଲ୍ୟ ପେଟ୍ରୋଲ ତୁଳନାରେ ଅଧିକ ହୋଇଛି। ବାରାଣସୀରେ କିଲୋଗ୍ରାମ ପିଛା ୧୨୦ ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ଏହାକୁ ଦୃଷ୍ଟିରେ ରଖି ଲଙ୍କା ଅଞ୍ଚଳର ନାଗୱାନରେ ପନିପରିବା ବିକ୍ରି କରୁଥିବା ଏସପି କର୍ମୀ ଅଜୟ ଫୌଜି ତାଙ୍କ ଦୋକାନରେ ସୁରକ୍ଷାକର୍ମୀ ନିଯୁକ୍ତ କରିଛନ୍ତି। ପନିପରିବା ଦର ଏତେ ଅଧିକ, ଏହାକୁ ଜଗିବା ପାଇଁ ସୁରକ୍ଷାକର୍ମୀ ଆବଶ୍ୟକ ବୋଲି ସେ କହିଛନ୍ତି। ଦୋକାନ ଆଗରେ ସେ ଏକ ପୋଷ୍ଟର ମଧ୍ୟ ରଖିଛନ୍ତି। ଯେଉଁଥିରେ ଲେଖା ଅଛି ଯେ ପ୍ରଥମେ ଟଙ୍କା ପରେ ଟମାଟର। ଦୟାକରି ଟମାଟରକୁ ସ୍ପର୍ଶ କରନ୍ତୁ ନାହିଁ।
ପନିପରିବା ଦୋକାନୀ ଅଜୟ ଫୌଜି କହିଛନ୍ତି, ଟମାଟର ବହୁତ ମହଙ୍ଗା ହୋଇଛି। ଦରଦାମ ବୃଦ୍ଧିି ଯୋଗୁ ଲୋକମାନେ ୧୦୦ ଏବଂ ୫୦ ଗ୍ରାମ ନେଉଛନ୍ତି। ଅନେକ ସ୍ଥାନରୁ ସୂଚନା ଆସିଥିଲା ଯେ ଟମାଟର ଲୁଟ କରାଯାଉଛି। ଫଳରେ ଟମାଟରକୁ ସୁରକ୍ଷା ଦେବା ପାଇଁ ମୁଁ ଦୋକାନରେ ଦୁଇ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି। ବର୍ତ୍ତମାନ ଏହି ଦୋକାନ ପୁରା ସହରରେ ଆଲୋଚନା ବିଷୟ ହୋଇଛି।