Categories: ଜାତୀୟ

୨.୫ ଲକ୍ଷ ଟଙ୍କାର ଟମାଟୋ ଚୋରି

ବେଙ୍ଗାଲୁରୁ,୬।୭: ଦେଶରେ ଏବେ ଦରଦାମ ହୁହୁ ହୋଇ ବଢିବାରେ ଲାଗିଛି। ପରିବାଠାରୁ ଆରମ୍ଭ କରି ଡାଲି ଚାଉଳ ପର୍ଯ୍ୟନ୍ତ ସବୁର ଦାମ ବଢିବାରେ ଲାଗିଛି। ଏବେ ସବୁଠାରୁ ଅଧିକ ଦାମ ହୋଇଛି ଟମାଟୋର। ସାରା ଦେଶରେ ଟମାଟୋ କିଲୋ ପ୍ରତି ଦାମ ଏବେ ୧୦୦ ଟଙ୍କା ପାର କରି ସାରିଛି।

କିଛି ରାଜ୍ୟରେ ଏହାର ମୂଲ୍ୟ ୧୫୦ ଟଙ୍କା ହୋଇଗଲାଣି। ତେଣୁ ସାଧାରଣ ପରିବାର ଏବେ ଟମାଟୋ କିଣିପାରୁ ନାହାଁନ୍ତି। କେବଳ ଟମାଟୋ କାହିଁକି ଏବେ ପ୍ରାୟ ସବୁ ପନିପରିବାର ଦାମ ବୃଦ୍ଧି ହୋଇଥିବାରୁ ସାଧାରଣ ଜନତାଙ୍କ ରୋଷେଇ ଘରର ବଜେଟ ବିଗିଡି ଯାଇଛି।
ତେବେ ଟମାଟୋ ଚୋରି ଘଟଣା ହେଉଛି ଜୁଲାଇ ୪ର। କୃଷକ ଧରଣି କହିଛନ୍ତି, ତାଙ୍କ ଚାଷ ଜମିରୁ ବହୁ ପରିମାଣରେ ଟମାଟୋ ଚୋରି ହୋଇଯାଇଛି, ଯାହାର ମୂଲ୍ୟ ପ୍ରାୟ ୨.୫ ଲକ୍ଷ ହେବ। ଧରଣି କହିଛନ୍ତି, ସେ ଦୁଇ ଏକର ଜମିରେ ଟମାଟୋ ଚାଷ କରିଥିଲେ, ଏବେ ସେ ଏହାକୁ ଅମଳ କରି ବଜାରରେ ବିକ୍ରି କରିବାକୁ ଯୋଜନା କରୁଥିବା ବେଳେ ଚୋରମାନେ ଏହାକୁ ଚୋରି କରି ନେଇଛନ୍ତି।
ଏହାକୁ ନେଇ ଧରଣି ପୋଲିସରେ ଅଭିଯୋଗ କରିଛନ୍ତି। ଚାଷି ଧରଣି କହିଛନ୍ତି, ଏହା ପୂର୍ବରୁ ସେ ବିନ୍‌ ଫସଲରେ କ୍ଷତି ସହିଥିଲେ ତେଣୁ ସେ ଋଣ କରି ଏବେ ଟମାଟୋ ଫସଲ କରିଥିଲେ। ଏବେ ଚୋର ଟମାଟୋ ଚୋରି କରିବା ସହ ତାଙ୍କ ଫସଲ ମଧ୍ୟ ନଷ୍ଟ କରି ଦେଇଛନ୍ତି। ଏବେ ସେ ଟମାଟୋ ଚୋରଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି।

 

Share