ଆଇଏଫ୍‌ଏଫ୍‌ଏମ୍‌ରେ ପ୍ରଦର୍ଶିତ ହେବ ‘କାଲିର ଅତୀତ’

ଭୁବନେଶ୍ୱର,୧୩ା୮(ବ୍ୟୁରୋ): ପଦ୍ମଶ୍ରୀ ଓ ଜାତୀୟ ପୁରସ୍କାର ବିଜେତା ଫିଲ୍ମ ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡାଙ୍କ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଅଫ୍‌ ମେଲ୍‌ବୋର୍ନ (ଆଇଏଫ୍‌ଏଫ୍‌ଏମ୍‌)ରେ ପ୍ରଦର୍ଶିତ ହେବ। ଜଳବାୟୁ ପରିବର୍ତ୍ତନର ବିପଦକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ର ବିଶ୍ୱବ୍ୟାପୀ ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ଅଂଶଗ୍ରହଣ କରିଛି। ୨୦୨୧ ଜୁଲାଇରେ ଏହା ଲଣ୍ଡନ ଇଣ୍ଡିଆନ୍‌ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିବାବେଳେ ଚଳିତ ମାସରେ ହେବାକୁ ଥିବା ଆଇଏଫ୍‌ଏଫ୍‌ଏମ୍‌ରେ ଔପଚାରିକ ଚୟନର ଅଂଶ ହୋଇଛି। ‘କାଲିର ଅତୀତ’ ଚଳଚ୍ଚିତ୍ରକୁ ଆସନ୍ତା ଅକ୍ଟୋବରରେ ପାରାଗୁଏ ଇଣ୍ଟରନ୍ୟାଶନାଲ ଫେଷ୍ଟିଭାଲରେ ମଧ୍ୟ ପ୍ରଦର୍ଶିତ କରାଯିବ। ଆଇଏଫ୍‌ଏଫ୍‌ଏମ୍‌ ହେଉଛି ଅଷ୍ଟ୍ରେଲିଆରେ ଅନୁଷ୍ଠିତ ସର୍ବବୃହତ୍‌ ଚଳଚ୍ଚିତ୍ର ମହୋତ୍ସବ ମଧ୍ୟରୁ ଅନ୍ୟତମ, ଯାହା ଭାରତୀୟ ସିନେମାର ସମସ୍ତ ପ୍ରକାର ଓ ଆକାରକୁ ପାଳନ କରୁଛି। ଲକ୍‌ଡାଉନ୍‌ କାରଣରୁ ଏଠାରେ ଇନ୍‌-ସିନେମା ପ୍ରୋଗ୍ରାମ ସମେତ ଓପନିଙ୍ଗ୍‌ ନାଇଟ୍‌ ଷ୍ଟାଣ୍ଡ୍‌ ବାତିଲ ହୋଇଥିଲା। ତେବେ ଆସନ୍ତା ୧୫ରୁ ଅନ୍‌ଲାଇନ୍‌ ପ୍ରୋଗ୍ରାମ ଖୋଲିବ ବୋଲି ଧାର୍ଯ୍ୟ ହୋଇଛି।
ଆଇଏଫ୍‌ଏଫ୍‌ଏମ୍‌ରେ ଫିଲ୍ମର ଚୟନ ସମ୍ପର୍କରେ ନିର୍ଦ୍ଦେଶକ ପଣ୍ଡା କହିଛନ୍ତି, ଯେତେବେଳେ ମୁଁ ଏହି ଚଳଚ୍ଚିତ୍ର ତିଆରି କରିଥିଲି ମୋର ଇଚ୍ଛା ଥିଲା ଜଳବାୟୁ ପରିବର୍ତ୍ତନର ବିପଦ ସଂକ୍ରାନ୍ତରେ ଏହାର ବାର୍ତ୍ତାକୁ ସମଗ୍ର ବିଶ୍ୱରେ ପହଞ୍ଚାଇବା। ମୋର ଚଳଚ୍ଚିତ୍ର ମାଧ୍ୟମରେ ମୁଁ ବାସ୍ତବ ଘଟଣାଗୁଡିକ ସମ୍ପର୍କରେ କହିବା ଏବଂ ଏଭଳି ଗମ୍ଭୀର ପ୍ରସଙ୍ଗ ଉପରକୁ ଲୋକଙ୍କ ଧ୍ୟାନ ଆକର୍ଷିତ କରିବା ପାଇଁ ଚେଷ୍ଟା କରୁଛି। ଆଇଏଫ୍‌ଏଫ୍‌ଏମ୍‌ରେ ଔପଚାରିକ ଚୟନ ହେବା ଆମ ଟିମ୍‌ ପାଇଁ ଏକ ଗୌରବର ବିଷୟ।

Share