Categories: ଖେଳ

ଯୌନଶୋଷଣ ଅଭିଯୋଗରେ ରେସିଂ କୋଚ ବାସନ୍ଦ

ଲଣ୍ଡନ,୧୦ା୮(ପି.ଟି): ଯୌନ ଶୋଷଣ ଅଭିଯୋଗରେ ଇଂଲଣ୍ଡ ରେସିଂ ଦଳର କୋଚ ଟୋନି ମିନିଚିଏଲୋଙ୍କୁ ଆଜୀବନ ବାସନ୍ଦ କରାଯାଇଛି। ଦୀର୍ଘ ୧୫ ବର୍ଷର କ୍ୟାରିୟର ମଧ୍ୟରେ ଏକାଧିକ ଖେଳାଳିଙ୍କ ସହିତ ଅସଦାଚରଣ କରିଥିବା ପ୍ରମାଣିତ ହେବା ପରେ ୟୁକେ ଆଥଲେଟିକ୍ସ ପରିଚାଳନା ବୋର୍ଡ ଏହି ନିଷ୍ପତ୍ତି ନେଇଛି। ଟୋନିଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ବୋର୍ଡ ପକ୍ଷରୁ ଏକ ୪ ଜଣିଆ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ଟ୍ରିବ୍ୟୁନାଲର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଖେଳାଳି ମାନଙ୍କୁ ଏଣେ ତେଣେ ଛୁଇଁବା, ଅଶ୍ଲୀଳ ଇଙ୍ଗିତ କରିବା, ଉତ୍ୟକ୍ତ ବ୍ୟବହାର ଓ ମାନସିକ ନିର୍ଯାତନା ନେଇ ଏକାଧିକ ଖେଳାଳି ବୟାନ ଦେଇଥିଲେ।
ଯେଉଁ ଖେଳାଳି ମାନେ ବୟାନ ଦେଇଛନ୍ତି ସେମାନଙ୍କ ନାମ ଗୋପନ ରଖାଯାଇଛି। ଏହି ଖେଳାଳି ମାନେ ଯେଉଁ ଭଳି ସାହସ ଦେଖାଇ ସାମ୍ନାକୁ ଆସିଲେ ତାହା ପ୍ରଶଂସାଯେଗ୍ୟ ବୋଲି ଆଥଲେଟିକ୍ସ ବୋର୍ଡ ପକ୍ଷରୁ କୁହାଯାଇଛି। ତେବେ ଏହି ଆଥଲେଟ ମାନଙ୍କ ତାଲିକାରେ ହେପ୍ଟାଥେଲନ୍‌ ଷ୍ଟାର ଏନ୍ନିସ୍‌ ହିଲ୍‌ ଅଛନ୍ତି କି ନା ତାହା ସ୍ପଷ୍ଟ ହୋଇନାହିଁ। ଟୋନିଙ୍କ ପ୍ରଶିକ୍ଷଣରେ ଏନିସ୍‌ ୨୦୦୯ରୁ ୨୦୧୫ ମଧ୍ୟରେ ୩ଟି ବିଶ୍ୱ ଚାମ୍ପିୟଶିପ୍‌ ଟାଇଟଲ ଜିତିବା ସହିତ ଗୋଟିଏ ଲେଖାଏଁ ଅଲିମ୍ପିକ୍‌ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଥିଲେ। ୨୦୧୨ରେ ହିଲ୍‌ ଲଣ୍ଡନ ଅଲିମ୍ପିକ୍ସରେ ପ୍ରଥମ ସ୍ବର୍ଣ୍ଣ ଜିତିଥିବା ବେଳେ ୨୦୧୬ ରିଓରେ ରୌପ୍ୟ ହାସଲ କରିଥିଲେ। ତଦନ୍ତ ମଧ୍ୟରେ ଟୋନି ମିନିଚିଏଲୋଙ୍କ ଲାଇସେନ୍ସ ଋଦ୍ଦ ହୋଇ ଯାଇଥିବାରୁ ୟୁକେ ଟ୍ରାକ୍‌ ଆଣ୍ଡ ଫିଲ୍ଡ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇ ପାରିନଥିଲା। ଫଳରେ ବ୍ରିଟିଶ ଆଥଲେଟିକ୍ସ କମିଟି ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି।

Share