Categories: ଖେଳ

ଅନେକଗୁଡ଼ିଏ ଚିନ୍ତା ବିପଜ୍ଜନକ ହୋଇପାରେ: ରିଡ୍‌

ଚଳିତି ହକି ବିଶ୍ୱକପର କ୍ୱାର୍ଟର ଫାଇନାଲକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବାକୁ ହେଲେ ଭାରତ ଏହାର ଅନ୍ତିମ ଗ୍ରୁପ୍‌ ମ୍ୟାଚରେ ଓ୍ବେଲ୍ସ ବିପକ୍ଷରେ ବୃହତ୍‌ ବିଜୟ ହାସଲ କରିବା ଆବଶ୍ୟକ ହେଉଛି। ଦୁଇଟି ଦଳର ପଏଣ୍ଟ ସମାନ ହେଲେ ଗୋଲ ବ୍ୟବଧାନ ନିର୍ଣ୍ଣାୟକ ହେବାକୁ ଥିବାରୁ ଏପରି ପରିସ୍ଥିତି ଉପୁଜିଛି। ତେବେ ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ ଏହାକୁ ନେଇ ବିଶେଷ ଚିନ୍ତିତ ନାହାନ୍ତି। ଭାରତ ଆରମ୍ଭରୁ ଏହାର ସ୍ବାଭାବିକ ଗେମ୍‌ ଖେଳିବ ବୋଲି ସେ ମ୍ୟାଚ ପୂର୍ବ ଖବରଦାତା ସମ୍ମିଳନୀରେ ବୁଧବାର ପ୍ରକାଶ କରିଛନ୍ତି। ଆମେଯଦି ଆରମ୍ଭରୁ ଅନେକ ଗୁଡ଼ିଏ କଥା ଚିନ୍ତାକରି ଖେଳିବୁ ତାହା ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ଆମେ ଧୈର୍ଯ୍ୟର ସହ ଖେଳ ଆରମ୍ଭ କରିବୁ ଏବଂ ମ୍ୟାଚ ଆଗେଇଲେ ପରବର୍ତ୍ତୀ କଥା ଚିନ୍ତା କରିବୁ ବୋଲି ସେ କହିଛନ୍ତି। ଭାରତ ଚଳିତ ଟୁର୍ନାମେଣ୍ଟରେ ଅଧିକ ଗୋଲ ସ୍କୋରିଂରେ ବିଫଳ ହୋଇଛି। ୨ଟି ମ୍ୟାଚରେ ମାତ୍ର ୨ଟି ଗୋଲ ଦେଇପାରିଛି।

ଏହାର ଉତ୍ତରରେ ରିଡ୍‌ କହିଲେ ଯେ, ଆମେ ଯଦି ସୁଯୋଗ ସୃଷ୍ଟି କରିପାରି ନ ଥାନ୍ତୁ ତେବେ ଚିନ୍ତିତ ହୋଇଥାନ୍ତୁ। ଆମେ ଅନେକ ସୁଯୋଗ ସୃଷ୍ଟି କରିଛୁ। ବାକି ରହିଲା ଫିନିଶିଂ କଥା। ତାହା ଖୁବ୍‌ ଶୀଘ୍ର ଦେଖିବାକୁ ମିଳିବାନେଇ ଆଶା ରହିଛି। ହାର୍ଦ୍ଦିକ ସିଂଙ୍କ ଏମ୍‌ଆର୍‌ଆଇ ରିପୋର୍ଟ ଭଲ ଅଛି। ତେଣୁ ସେ ଶୀଘ୍ର ସୁସ୍ଥ ହେବେ ବୋଲି ଆଶା ରଖିଛୁ। ପେନାଲ୍ଟି କର୍ନର ନିୟମ ପରିବର୍ତ୍ତନ କରି ଡିଫେଣ୍ଡିଂ ଖେଳାଳିଙ୍କୁ ଅଧିକ ରିଆକ୍ସନ ଟାଇମ୍‌ ଦେବା ସପକ୍ଷରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଚିନ୍ତା କରୁଛି। ଏହାଦ୍ୱାରା ଡ୍ରାଗ୍‌-ଫ୍ଲିକରଙ୍କ ହାଇ ସ୍ପିଡ୍‌ ବଲ୍‌ର ସମ୍ମୁଖୀନ ହେଉଥିବା ଡିଫେଣ୍ଡରମାନେ ସୁରକ୍ଷିତ ରହିପାରିବେ। ଏ ସମ୍ପର୍କରେ ମତ ଦେବାକୁ ଯାଇ ଅଧିନାୟକ ହରମନପ୍ରୀତ ସିଂ କହିଛନ୍ତି ଯେ, ଏହା ପେନାଲ୍ଟି କର୍ନର ଡିଫେଣ୍ଡରଙ୍କ ପାଇଁ ଭଲ। ମାତ୍ର ଏହା କନଭର୍ସନ ହାରକୁ ପ୍ରଭାବିତ କରିପାରିବ ନାହିଁ।

 

Share