Categories: ଫୁରସତ

ଗୋଟିଏ ପରିବାରକୁ ନେଇ ଗାଁ

ଦିଶ୍‌ପୁର: ଭାରତ ବିଭିନ୍ନତାର ଦେଶ। ରାଷ୍ଟ୍ରର କୌଣସି ସ୍ଥାନକୁ ଗଲେ ବି ଆମକୁ କିଛି ନା କିଛି ଭିନ୍ନ ଏବଂ ନୂଆ ଦେଖିବାକୁ ମିଳିବ। ଯାହାଫଳରେ ଦେଶ ପ୍ରତି ଲୋକଙ୍କ ନଜର ବଦଳିଯିବ। ତେବେ ଭାରତରେ ଏପରି ଏକ ଗାଁ ରହିଛି, ଯେଉଁଠାରେ ଗାଁ କୁ ରାସ୍ତା ନ ଥିବା ସହ ବିଦ୍ୟୁତ୍‌ ସଂଯୋଗ ମଧ୍ୟ ନାହିଁ। ସେଠାରେ କେବଳ ଗୋଟିଏ ପରିବାର ବସବାସ କରୁଛନ୍ତି। ସେହି ଗାଁର ନାମ ହେଉଛି, ବର୍ଦ୍ଧନାରା ନମ୍ବର-୨। ଏହି ନାମରେ ଅନ୍ୟ ଏକ ଗାଁ ମଧ୍ୟ ରହିଛି, ଯାହାର ନାଁ ବର୍ଦ୍ଧନାରା ନମ୍ବର-୧। ଆସାମର ନାଲବାରି ଜିଲାରେ ଏହି ଗାଁ ଅବସ୍ଥିତ। ତେବେ ଗାଁରେ ରହୁଥିବା ଗୋଟିଏ ପରିବାରରେ ୫ ଜଣ ସଦସ୍ୟ ରହୁଛନ୍ତି। କିଛି ବର୍ଷ ପୂର୍ବେ ଆସାମ ମୁଖ୍ୟମନ୍ତ୍ରୀ ଏହି ଗାଁ ପାଇଁ ଏକ ରାସ୍ତାର ଉଦ୍‌ଘାଟନ କରିଥିଲେ। ହେଲେ ଏବେ ସେହି ରାସ୍ତା ଭାଙ୍ଗିଗଲାଣି। ଯାହା ଗଁାର ମୁଖ୍ୟ ସହରକୁ ସଂଯୋଗ କରୁଥିଲା। ପୂର୍ବରୁ ଏହି ଗାଁ ରେ ବହୁ ଲୋକ ବସବାସ କରୁଥିଲେ। ୨୦୧୧ ଜନଗଣନା ସମୟରେ ଏହି ଗାଁ ରେ ମାତ୍ର ୧୬ ଜଣ ଲୋକ ରହିଥିଲେ। ବେଳକୁବେଳ ତାହା କମ୍‌ ହେବାରେ ଲାଗିଲା। ଏବେ ରିପୋର୍ଟ ମୁତାବକ, ଏହି ଗାଁ ରେ କେବଳ ଗୋଟିଏ ପରିବାର ବାସ କରୁଛି ଏବଂ ସେହି ପରିବାରରେ ମାତ୍ର ୫ ସଦସ୍ୟ ଅଛନ୍ତି। ଏହି ଗାଁ କୁ ରାସ୍ତା ନ ଥିବା ସହିତ ବର୍ଷାଦିନେ ଲୋକଙ୍କୁ ବହୁ ଅସୁବିଧା ଭୋଗିବାକୁ ପଡ଼ିବାରୁ ଲୋକେ ଏଠାରୁ ଅନ୍ୟତ୍ର ଚାଲିଗଲେ। ଗାଁ ରେ ରହୁଥିବା ପରିବାର ଏବେ ବି ବର୍ଷାଦିନେ ନୌକା ସାହାଯ୍ୟରେ ଯାତାୟାତ କରୁଛନ୍ତି। ପରିବାରର ମୁଖିଆଙ୍କ ନାମ ବିମଲ ଡେକା। ସେ ତାଙ୍କ ସ୍ତ୍ରୀ ଏବଂ ୩ ପିଲାଙ୍କ ସହିତ ରହୁଛନ୍ତି। ସେମାନଙ୍କ କହିବା ମୁତାବକ, ପିଲାଙ୍କୁ ବର୍ଷାରେ ୨ କି.ମି. କାଦୁଅ ଭିତରେ ପଶି ସ୍କୁଲ ଯିବାକୁ ପଡେ। ନଗର ନିଗମ ଓ ଗାଁ ପଞ୍ଚାୟତ ଏହି ଅଞ୍ଚଳ ପ୍ରତି ଧ୍ୟାନ ଦେଉ ନ ଥିବାରୁ ଗାଁର ଏପରି ଅବସ୍ଥା ହୋଇଛି।

Share