ମହିଳାଙ୍କ ସହ ସେଲ୍ଫି ନେଲେ, ତା ’ପରେ ଆକାଉଣ୍ଟ ଖୋଳ କରିଦେଲେ

ବାହନଗା,୨।୧୦(ଡି.ଏନ୍‌.ଏ.): ଜିନିଷ କିଣିବାକୁ ଆସି ମହିଳାଙ୍କ ସହିତ ସେଲ୍ଫି ଉଠାଇଲେ। ଆଉ ପରବର୍ତ୍ତୀ ସମୟରେ ତାଙ୍କ ମୋବାଇଲ ଚୋରି କରି ଆକାଉଣ୍ଟ ଖୋଳ କରିଦେଲେ। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲା ସୋର ଥାନା ଅଞ୍ଚଳରୁ। ଏନେଇ ଲିଖିତ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।
ସୂଚନାଯୋଗ୍ୟ, ସୋର ଥାନା ଆରୁହା ଗାଁର ଜୟନ୍ତୀ କୁଅଁର। ସେ ଜଣେ ବୀମା ଏଜେଣ୍ଟ। ଏଥିସହ ଅନ୍‌ଲାଇନ୍‌ରେ ବିଭିନ୍ନ ପ୍ରଡକ୍ଟର ମାର୍କେଟିଂ କରନ୍ତି। ଜୟନ୍ତୀଙ୍କ ଅଭିଯୋଗ ଅନୁଯାୟୀ, ବାହାନଗା ଅଞ୍ଚଳର ବଳରାମ ପଣ୍ଡା ଥରେ ତାଙ୍କ ପାଖକୁ ଆସିଥିଲେ। ଆଉ କିଛି ପ୍ରଡକ୍ଟ କିଣିଥିଲେ। ପରେ ତାଙ୍କ ପରାମର୍ଶରେ ଚିଣ୍ଟୁ ଓ ରଞ୍ଜିତ ବାରିକ ପ୍ରଡକ୍ଟ କିଣିବା ପାଇଁ ଜୟନ୍ତୀଙ୍କ ପାଖକୁ ଆସିଥିଲେ। ଉଭୟଙ୍କ ଭିତରେ କଥାବାର୍ତ୍ତା ଚାଲିଥିବା ବେଳେ ଏହି ଦୁଇ ଯୁବକ ଜୟନ୍ତୀଙ୍କ ବାରଣ ସତ୍ତ୍ୱେ ସେଲ୍ଫି ଉଠାଇଥିଲେ।
ପରେ ଜୟନ୍ତୀ ସେଲ୍ଫି ଉଠାଯାଇଥିବା ମୋବାଇଲ୍ଟିକୁ ଜବରଦସ୍ତ ଛଡ଼ାଇ ନେଇଥିଲେ। ଏହା ପରେ ସେମାନେ ସେଠାରୁ ପଳାଇ ଯାଇଥିଲେ। ଯାହାକୁ ନେଇ ଜୟନ୍ତୀ ଓ ସେମାନଙ୍କ ଭିତରେ ବିବାଦ ଲାଗି ରହିଥିଲା। ଜୟନ୍ତୀଙ୍କଠାରୁ ମୋବାଇଲ ନେବା ପାଇଁ ସେମାନେ ବହୁବାର ଉଦ୍ୟମ କରିଥିଲେ। କିନ୍ତୁ ସଫଳ ହୋଇ ନ ଥିଲେ।

କିଛିଦିନ ତଳେ ଜୟନ୍ତୀଙ୍କ ମୋବାଇଲ ଚୋରି ହୋଇଥିଲା। ଜୟନ୍ତୀଙ୍କ କହିବା ଅନୁସାରେ ଚିଣ୍ଟୁ ଓ ରଞ୍ଜିତ ତାଙ୍କ ମୋବାଇଲ ଚୋରି କରିଛନ୍ତି। ପରେ ସେମାନେ ତାଙ୍କ ମୋବାଇଲ୍‌ରେ ଥିବା ଫୋନ ପେ’ରେ ଅନ୍ଲାଇନ ଶପିଂ କରିଛନ୍ତି। ଅଭିଯୁକ୍ତମାନେ ୩ ଲକ୍ଷ ୭୩ ହାଜର ୯୩୯ ଟଙ୍କାର ଶପିଂ କରିଥିବା ଜାଣିବା ପରେ ଜୟନ୍ତୀ ଏ ନେଇ ସୋର ଥାନାରେ ଅଭିଯୋଗ କରିଛନ୍ତି। ସେ ବଳରାମ, ଚିଣ୍ଟୁ ଓ ରଞ୍ଜିତଙ୍କ ନାଁରେ ଅଭିଯୋଗ କରିଛନ୍ତି।