ପାଟଣା,୨୭ା୧୨(ସ୍ବ.ପ୍ର.): ବଡ଼ଦିନ ଦିନ ପାଇଁ ବିଦ୍ୟାଳୟ ଗୁଡ଼ିକ ଛୁଟି ରହିଛି। ଏହାର ସୁଯୋଗ ଦେଇ ରୋଷ୍ଟର ଦାୟିତ୍ୱରେ ଥିବା ଜଣେ କ୍ଲାସିକାଲ ଶିକ୍ଷୟିତ୍ରୀ କମନ ରୁମ୍ରୁ କମ୍ପ୍ୟୁଟର ମନିଟର, ସିଲିଙ୍ଗ ଫ୍ୟାନ ଖୋଲି ନେଇଯାଇଥିଲେ। ପରେ ପରିଚାଳନ କିମିଟି ବୈଠକରେ ଦୋଷ ସ୍ବୀକାର କରି ସାମଗ୍ରୀ ଫେରାଇ ଥିଲେ। କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ୍ କପୁଣ୍ଡି ପଞ୍ଚାୟତ ଖଜୁରୀଡ଼ିହାରେ ଥିବା ଏମ୍ଜିଏମ ସରକାରୀ ଉଚ୍ଚ ବିଦ୍ୟାଳୟ ଏଭଳି ଘଟଣା ଘଟିଛି। ଘଟଣାର ଫଟୋ ଓ ଭିଡିଓ ଭାଇରାଲ ପରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ, ଗତ ଶୁକ୍ରବାର ରୋଷ୍ଟର ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ସୁନିତା ଜେନା ଶିକ୍ଷକଙ୍କ କମନ୍ ରୁମରୁ ୩ ମନିଟର ଓ ୧ ଫ୍ୟାନ୍ ଖୋଲି ନେଇଯାଇଥିଲେ। ସମସ୍ତ ଦୃଶ୍ୟ ବିଦ୍ୟାଳୟର ସିସି ଟିଭିରେ କଏଦ ହୋଇଥିଲା। ଏ ନେଇ ଶନିବାର ବିଦ୍ୟାଳୟ ପରିଚାଳନା କମିଟି (ଏସ୍ଏମ୍ଡିସି) ସଭାପତି ମନୋହର ମହାନ୍ତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏଥିରେ ୱାର୍ଡ ମେମ୍ବର ହରେକୃଷ୍ଣ ମହାନ୍ତ, ଶିକ୍ଷାବିତ୍ ହଳଧର ମହାନ୍ତ ଓ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଶିକ୍ଷୟିତ୍ରୀ ଦୋଷ ସ୍ବୀକାର କରି ଏକ ଅଣ୍ଡର ଟେକିଂ ଲେଖି ନେଇଥିବା ସାମଗ୍ରୀ ଫେରାଇଥିଲେ। ମାତ୍ର ଏନେଇ କୌଣସି ଅଭିଯୋଗ ହୋଇ ନ ଥିବାରୁ ଶିକ୍ଷା ବିଭାଗ ଚୋରି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏ ନେଇ ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ପଚାରିବାରୁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସାରାଣୀ ସେଠୀଙ୍କୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ କୁହାଯାଉଛି। ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ସମ୍ପୃକ୍ତ ଶିକ୍ଷୟିତ୍ରୀ କହିଛନ୍ତି, ଚୋରି କଥା ମିଛ, ସମାଗ୍ରୀ ସବୁ ଅନ୍ୟ ଏକ ସ୍କୁଲକୁ ନିଆ ଯାଇଥିଲା।