ଟ୍ରେନ୍‌ରେ ବାଣ, ବିସ୍ଫୋରକ ନେଲେ ୩ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଦୀପାବଳି ପରିପ୍ରେକ୍ଷୀରେ ଟ୍ରେନ୍‌ ଯାତ୍ରୀ ଓ ସମ୍ପତ୍ତିର ସୁରକ୍ଷାକୁ ଗୁରୁତ୍ୱ ଦେଇଛି ପୂର୍ବତଟ ରେଳପଥ। ଟ୍ରେନ୍‌ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା କିମ୍ବା କୌଣସି ବିସ୍ଫୋରକ ଓ ବାଣ ପରିବହନକୁ ବାରଣ କରାଯାଇଛି। ଗ୍ୟାସ୍‌ ସିଲିଣ୍ଡର, ଏସିଡ୍‌, ପେଟ୍ରୋଲ୍‌, କିରୋସିନ ଆଦି ସାମଗ୍ରୀର ପରିବହନ ରେଳପଥ ଅଧିନିୟମ-୧୯୮୯ ଅନୁଯାୟୀ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯାଉଛି। ଏହାକୁ ଅମାନ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୩ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡର ବ୍ୟବସ୍ଥା ରହିଥିବା ପୂର୍ବତଟ ରେଳପଥ ପକ୍ଷରୁ ଗୁରୁବାର ପ୍ରକାଶ ପାଇଛି। ଟ୍ରେନ୍‌ ଯାତ୍ରାକୁ ଅଧିକ ନିରାପଦ କରିବା ପାଇଁ ପୂର୍ବତଟ ରେଳପଥ ଯାତ୍ରୀଙ୍କୁ ସତର୍କ କରିବା ସହ ନିଜକୁ କିମ୍ବା ସହଯାତ୍ରୀଙ୍କୁ ଏସବୁ ସାମଗ୍ରୀ ପରିବହନ କରିବାକୁ ଦିଅନ୍ତୁ ନାହିଁ ବୋଲି ଅନୁରୋଧ କରିଛି। ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ପ୍ରକ୍ରିୟା ଆରମ୍ଭ କରାଯାଇଥିବାବେଳେ କଡ଼ା ପଦକ୍ଷେପ ପାଇଁ ସମସ୍ତ ୩ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍‌, ସମ୍ବଲପୁର ଓ ୱାଲ୍ଟିଅରକୁ ପରାମର୍ଶ ଦେଇଛି। ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଓ ସରକାରୀ ରେଳ ପୋଲିସ (ଜିଆର୍‌ପି)ଯାଞ୍ଚବେଳେ ବିସ୍ଫୋରକ କିମ୍ବା ଦହନଶୀଳ ସାମଗ୍ରୀ ପରିବହନ ହେଉଥିବା ଜାଣିବାକୁ ପାଇଲେ ତୁରନ୍ତ ଟିଟିଇ, କୋଚ୍‌ ଆଟେଣ୍ଡାଣ୍ଟ, ଷ୍ଟେଶନ ପରିଚାଳକ, ଗାର୍ଡଙ୍କୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ସେହିଭଳି ଯାତ୍ରୀମାନେ ଟ୍ରେନ୍‌ ଚଳାଚଳ ସମ୍ବନ୍ଧୀୟ କୌଣସି ଘଟଣା ବିଷୟରେ ହେଲ୍ପଲାଇନ୍‌ ନଂ.୧୮୨ରେ ଜଣାଇବାକୁ ସୂଚନା ଦିଆଯାଇଛି।

Share