Categories: ଜାତୀୟ

ପଟିଆଲାରେ ଇଣ୍ଟରନେଟ୍‌ ସେବା ବନ୍ଦ

ଚଣ୍ଡିଗଡ଼,୩୦।୪: ଶିବସେନା କର୍ମକର୍ତ୍ତା ଶୁକ୍ରବାର ପାଟିଆଲାରେ ଖଲିସ୍ତାନ ବିରୋଧରେ ଏକ ଶୋଭାଯାତ୍ରା ବାହାର କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଶିବସେନା କର୍ମକର୍ତ୍ତା ଏବଂ ଖଲିସ୍ତାନ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହେବା ଫଳରେ ଗୋଷ୍ଠୀ ସଂଘର୍ଷ ସୃଷ୍ଟି ହୋଇଥିଲା। ଏ ନେଇ ପଟିଆଲାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଶନିବାର ସାମୟିକ ଭାବେ ପଟିଆଲା ଜିଲାରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦିଆଯାଇଛି। ଏହି କଟକଣା ସକାଳ ସାଢ଼େ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରହିବ।

ଅନ୍ୟପକ୍ଷେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୩ ପୋଲିସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ପୋଲିସ ଇନ୍ସପେକ୍ଟର୍‌ ଜେନେରାଲ ରାକେଶ ଅଗ୍ରୱାଲ, ଏସ୍‌ଏସ୍‌ପି ନାନକ ସିଂହ ଏବଂ ସହର ଏସ୍‌ପିଙ୍କୁ ବଦଳି କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦିଆଯାଇଥିବା ବିବୃତିରେ ମୁଖବିନ୍ଦର୍‌ ସିଂହ ଚିନ୍ନାଙ୍କୁ ପଟିଆଲାର ନୂଆ ଆଇଜି ଭାବେ ନିଯୁକ୍ତ କରାଯାଇଥିବା ବେଳେ ଦୀପକ ପାରିକଙ୍କୁ ଏସ୍‌ଏସ୍‌ପି ଏବଂ ୱାଜିର ସିଂହଙ୍କୁ ନୂତନ ଏସ୍‌ପି. ଭାବେ ନିଯୁକ୍ତ କରାଯାଇଛି।

ସୂଚନା ଯୋଗ୍ୟ, ସଂଘର୍ଷରେ ୨ ପୋଲିସ କର୍ମଚାରୀଙ୍କ ସମେତ ୪ଜଣ ଆହତ ହୋଇଥିଲେ। ସଂଘର୍ଷ ସମୟରେ ଟେକାପଥର ଫିଙ୍ଗାଫିଙ୍ଗି ସହ ଓ ଖଣ୍ଡା ବୁଲିଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଅନ୍ୟପକ୍ଷେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସକୁ ଫାଙ୍କା ଗୁଳି ଚଳାଇବାକୁ ପଡିଥିଲା।

Share