Categories: ଖେଳ

ହାର୍ଦ୍ଦିକଙ୍କ ‘ନୂତନ ଟିମ୍‌ ଇଣ୍ଡିଆ’: ଏହି ୫ ଖେଳାଳି ପାଲଟିଲେ ସିରିଜର ହିରୋ…

ନୂଆଦିଲ୍ଲୀ,୮।୧: ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଛି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ‘ନୂତନ ଟିମ୍‌ ଇଣ୍ଡିଆ’। ରାଜକୋଟରେ ଶନିବାର ଖେଳାଯାଇଥିବା ନିର୍ଣ୍ଣାୟକ ମୁକାବିଲା ବିଜୟ ସହ ୨-୧ରେ ସିରିଜକୁ ଜିତିଛି ଦଳ। ତେବେ ଏହି ସିରିଜରୁ ଅନେକ ବରିଷ୍ଠ ଖେଳାଳିଙ୍କୁ ବାଦ୍‌ ଦିଆଯାଇଥିଲା। ତଥାପି ଯୁବ କ୍ରିକେଟରମାନେ ନିଜର ପ୍ରଦର୍ଶନ ବଳରେ ଦଳର ଭବିଷ୍ୟତ ସୁରକ୍ଷିତ ହାତରେ ରହିଥିବା ସ୍ପଷ୍ଟ କରିଛନ୍ତି। ବିଶେଷକରି ସିରିଜରେ ୫ ଭାରତୀୟ ଖେଳାଳି ନିଜର ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେମାନେ ହେଲେ:-

-ଅକ୍ଷର ପଟେଲ: ଅଲରାଉଣ୍ଡର ପଟେଲ ତିନି ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧୧୭ ରନ୍‌ କରିବା ସହ ୩ ଉଇକେଟ ନେଇଥିଲେ। ଏଥିଲାଗି ତାଙ୍କୁ ‘ପ୍ଲେୟାର ଅଫ୍‌ ଦ ସିରିଜ’ ଭାବେ ଚୟନ କରାଯାଇଥିଲା।

-ସୂର୍ଯ୍ୟକୁମାର ଯାଦବ: ଦୁନିଆର ନମ୍ବର ୧ ଟି୨୦ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଏହି ସିରିଜରେ ଚମତ୍କାର ବ୍ୟାଟିଂ କରିଥିଲେ। ସେ ୩ ମ୍ୟାଚ୍‌ରେ ୧୭୦ ରନ୍‌ କରିଥିଲେ। ଏଥିରେ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ଥିଲା। ସେ ସର୍ବାଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ୍‌ ପାଲଟିଥିଲେ।

-ଉମରାନ ମଲିକ:-ଦ୍ରୁତ ବୋଲର ଉମରାନଙ୍କ ପାଇଁ ଏହି ସିରିଜ ବେଶ ସ୍ମରଣୀୟ ଥିଲା। ସେ ୩ ମ୍ୟାଚ୍‌ରେ ୭ ଉଇକେଟ ନେଇଥିଲେ। ଏପରିକି ସେ ସିରିଜରେ ସର୍ବାଧିକ ଉଇକେଟ ନେଇଥିବା ବ୍ୟାଟ୍ସମ୍ୟାନ୍‌ ପାଲଟିଥିଲେ।

-ଶିବମ ମାଭି:-ଦ୍ରୁତ ବୋଲର ଶିବମ ଏହି ସିରିଜରେ ନିଜର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ସେ ୪ ଉଇକେଟ ନେଇଥିଲେ।

-ହାର୍ଦ୍ଦିକ ପାଣ୍ଡ୍ୟା: ଅଧିନାୟକ ପାଣ୍ଡ୍ୟା ଏହି ସିରିଜରେ ଭାରତୀୟ ଟିମ୍‌ର ଷ୍ଟାର୍‌ ପର୍‌ଫର୍ମର ଥିଲେ। ସେ ୩ ଉଇକେଟ ନେଇଥିବା ବେଳେ ୪୫ ରନ୍‌ କରିଥିଲେ। ହେଲେ ତାଙ୍କ ନେତୃତ୍ୱ ବେଶ ରୋଚକ ଥିଲା। ସେ କିଛି ଏଭଳି ନିଷ୍ପତ୍ତି ନେଇଥିଲେ ଯାହାଫଳରେ ଦଳ ସିରିଜ ବିଜେତା ହୋଇଥିଲା। ତାଙ୍କ ନେତୃତ୍ୱରେ ଦଳ ପାଇଁ ଏହା ୩ୟ ଟି୨୦ ସିରିଜ ବିଜୟ ହୋଇଥିଲା।

Share