Categories: ଜାତୀୟ

ଦୁର୍ଦ୍ଦାନ୍ତ ମାଓବାଦୀ ଦମ୍ପତି ଗିରଫ

ରାଞ୍ଚି,୧୨।୧୧: ସିପିଆଇ ମାଓବାଦୀ ସଙ୍ଗଠନର ଦ୍ୱିତୀୟ ସର୍ବୋଚ୍ଚ ନେତା ପ୍ରଶାନ୍ତ ବୋଷ ଏବଂ ତାଙ୍କ ସ୍ତ୍ରୀ ଶୀଲା ମାରାଣ୍ଡିଙ୍କୁ ଶୁକ୍ରବାର ଝାଡ଼ଖଣ୍ଡ ପୋଲିସ ଗିରଫ କରିଛି।  ଦମ୍ପତିଙ୍କ ଗିରଫଦାରି ଉତ୍ତର ଭାରତରେ ମାଓବାଦୀ କ୍ୟାଡରଙ୍କ ମନୋବଳ ଓ ହିଂସାମତ୍କ କାର୍ଯ୍ୟକଳାପକୁ ପ୍ରଭାବିତ କରିବ ବୋଲି କୁହାଯାଉଛି।

ଦୁର୍ଦ୍ଧର୍ଷ ମାଓବାଦୀ ନେତା ପ୍ରଶାନ୍ତ ପୂର୍ବରୁ ମାଓଇଷ୍ଟ୍‌ କମ୍ୟୁନିଷ୍ଟ ସେଣ୍ଟର ଅଫ୍‌ ଇଣ୍ଡିଆ (ଏମ୍‌ସିସିଆଇ) ମୁଖ୍ୟ ଥିଲେ। ୨୦୦୪ରେ ସିପିଆଇ-ଏମ୍‌ଏଲ୍‌ (ପିପୁଲ୍ସ ଓ୍ବାର) ସହ ଏମ୍‌ସିସିଆଇର ବିଲୟ ଘଟି ସିପିଆଇ (ମାଓଇଷ୍ଟ) ସଙ୍ଗଠନର ରୂପ ନେଇଥିଲା। କିଷନ ଦା ନାମରେ ପରିଚିତ ପ୍ରଶାନ୍ତଙ୍କ ଯୋଗୁ ମାଓବାଦୀ ସଙ୍ଗଠନର ଏହି ମିଶ୍ରଣ ସମ୍ଭବ ହୋଇଥିବା କୁହାଯାଏ। କିଷନ ଦା ଏବେ ଇଷ୍ଟର୍ନ ରିଜିଓନାଲ ବ୍ୟୁରୋ (ଇଆର୍‌ବି) ସମ୍ପାଦକ ଅଛନ୍ତି। ଉତ୍ତର-ପୂର୍ବାଞ୍ଚଳ ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରେ ମାଓବାଦୀ କାର୍ଯ୍ୟକ୍ରମ ତାଙ୍କ ତତ୍ତ୍ୱାବଧାନରେ ହୋଇଥାଏ। ୭୫ ବର୍ଷୀୟ କିଷନ ଅସୁସ୍ଥ ଥାଇ ମଧ୍ୟ ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲରୁ ସବୁକିଛି ଅପରେଟ୍‌ କରୁଥିବା ଜଣାପଡିଛି। ପଶ୍ଚିମବଙ୍ଗର ଯାଦବପୁର ବାସିନ୍ଦା କିଷନ ଦା ତାଙ୍କ ସହଯୋଗୀଙ୍କ ମହଲରେ ନିର୍ଭୟ, କିଷନ, କାଜଲ ଓ ମହେଶ ନାମରେ ମଧ୍ୟ ପରିଚିତ।

ତାଙ୍କ ସ୍ତ୍ରୀ ଶୀଲା ମାରାଣ୍ଡି(୬୦) ମଧ୍ୟ ମାଓବାଦୀ ସଙ୍ଗଠନର ଅନ୍ୟତମ ବରିଷ୍ଠ ନେତ୍ରୀ। ସିପିଆଇ ମାଓଇଷ୍ଟ୍‌ ସେଣ୍ଟ୍ରାଲ କମିଟିର ସେ ହେଉଛନ୍ତି ଏକମାତ୍ର ମହିଳା ସଦସ୍ୟ। ୨୦୦୬ରେ ଓଡ଼ିଶାରେ ସେ ଗିରଫ ହୋଇଥିଲେ। ପରେ ରାଉରକେଲା ଜେଲରୁ ମୁକୁଳିଥିଲେ। ୫ ବର୍ଷ ତଳେ ସେ ପୁଣି ସିପିଆଇ(ମାଓବାଦୀ) ସଙ୍ଗଠନରେ ସାମିଲ ହୋଇଥିଲେ।

Share