ଉଇଗରଙ୍କୁ ନିର୍ଯାତନା, ଗୁପ୍ତ କ୍ୟାମେରା ଦ୍ୱାରା ଭିଡ଼ିଓ ଭାଇରାଲ…

ବେଜିଂ,୨୧।୧୧: ଚାଇନାର ରାଷ୍ଟ୍ରପତି ଶି ଜିନ୍‌ ପିଙ୍ଗ୍‌ଙ୍କ ସରକାରଙ୍କ ପକ୍ଷରୁ ଉଇଗରଙ୍କ ଉପରେ ନିର୍ଯାତନା ଜାରି ରହିଛି। ଏବେ ଗୁପ୍ତ କ୍ୟାମେରା ଦ୍ୱାରା ଶୁଟିଂ ହୋଇଥିବା ଏହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଜିନଜିଆଙ୍ଗ ପ୍ରଦେଶର ନଜର ବନ୍ଦୀ ଶିବିରରେ  ଉଇଗର ଉପରେ ଅତ୍ୟାଚାର କରାଯାଉଛି।
ଚାଇନାର ଜଣେ କାର୍ଯ୍ୟକର୍ତ୍ତା ଗୁପ୍ତରେ ନିର୍ଯାତନାର ଭିଡ଼ିଓ ଶୁଟିଂ କରିଛନ୍ତି।

କାର୍ଯ୍ୟକର୍ତ୍ତା ଗୁଆନ ଗୁଆନ ଉଇଗରଙ୍କ ଉପରେ କରାଯାଉଥିବା ଅତ୍ୟାଚାରର ୨୦ ମିନିଟର ଏକ ଭିଡିଓ ଶୁଟିଂ କରିଛନ୍ତି। ଭିଡ଼ିଓରେ ଶି ଜିନପିଙ୍ଗ ନେତୃତ୍ୱାଧୀନ ସରକାର ଉଇଗୁରୁମାନଙ୍କୁ କିପରି ଅତ୍ୟାଚାର କରୁଛନ୍ତି ତାହାର ନିଷ୍ଠୁର ବାସ୍ତବତାକୁ ଦର୍ଶାଉଛି। ଅକ୍ଟୋବର ଆରମ୍ଭରେ ଭିଡିଓଟି ୟୁଟ୍ୟୁବରେ ଅପଲୋଡ ହୋଇଥିଲା।

ରେଡିଓ ଫ୍ରି ଏସିଆର ଏକ ରିପୋର୍ଟ ଅନୁଯାୟୀ ଗୁଆନ କହିଛନ୍ତି ଯେ , ଚାଇନା ସରକାରଙ୍କ ପ୍ରତିବନ୍ଧକ ଯୋଗୁ ବିଦେଶୀ ଗଣମାଧ୍ୟମ ପ୍ରତିନିଧିମାନେ ସାକ୍ଷାତକାର ପାଇଁ ଜିନଜିଆଙ୍ଗରେ ପହଞ୍ଚି ପାରୁ ନାହାନ୍ତି। ଚାଇନାର ସରକାର ଉଇଗର ଏବଂ ସରକାରଙ୍କ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ବିନା ବିଚାରରେ କାରାଗାରରେ ରଖିଛନ୍ତି।

ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜିନଜିଆନ ଗସ୍ତ ସମୟରେ ଗୁଆନ ସମୁଦାୟ ଆଠଟି ସହର ପରିଦର୍ଶନ କରିଥିଲେ ଏବଂ ୧୮ଟି ନଜର ବନ୍ଦ ଶିବିର ଆବିଷ୍କାର କରିଥିଲେ। ଏହି ଶିବିରଗୁଡିକ ମଧ୍ୟରୁ ଅନେକ ମାନଚିତ୍ରରେ ଚିହ୍ନିତ ହୋଇ ନ ଥିଲା ।

ବହୁ ମାନବାଧିକାର ସଂଗଠନ ଦାବି କରିଛନ୍ତି ଯେ ଚାଇନା ଉଇଗରମାନଙ୍କୁ ବହୁ ବନ୍ଦୀ ଶିବିରକୁ ପଠାଉଛି। ସେମାନଙ୍କର ଧାର୍ମିକ ପ୍ରଥାରେ ହସ୍ତକ୍ଷେପ କରୁଛି, ଉଇଗର ମହିଳାମାନଙ୍କୁ ଜୋର୍‌ ଜବରଦସ୍ତ ଗର୍ଭ ନିରୋଧ ଅସ୍ତ୍ରୋପଚାର କରାଇବା ସହିତ ଅକଥନୀୟ ନିର୍ଯାତନା ଦେଉଛି। ଆମେରିକା ଚାଇନାର ଜିନଜିଆଙ୍ଗରେ ନରସଂହାର ଚାଲିଥିବା ଘୋଷଣା କରିଛି।

Share