ଭୁବନେଶ୍ୱର,୧୮।୧୦ (ବ୍ୟୁରୋ):ଜଣେ ନାବାଳିକାଙ୍କୁ ଘରେ ରଖି କାମ କରାଉଥିଲେ। ଅବହେଳା କଲେ ବେଲଣା କାଠିରେ ବାଡ଼େଇବା ସହ ରୁଟି ସେକାରେ ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦେଇ ନିର୍ଯାତନା ଦେଉଥିଲେ। ଏଭଳି ଏକ ଅମାନବୀୟ ଘଟଣା ନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି। ଖବର ପାଇ ଚାଇଲ୍ଡ ଲାଇନ, ପୋଲିସ ଓ ଶ୍ରମ ଅଧିକାରୀଙ୍କ ଉଦ୍ୟମରେ ୧୩ ବର୍ଷିୟା ନାବାଳିକାଙ୍କୁ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ସତ୍ୟବିହାରସ୍ଥିତ ସତ୍ୟ ଏନକ୍ଲେଭରେ ରହୁଥିବା ଦମ୍ପତି ରଶ୍ମୀରଞ୍ଜନ ଜେନା ଓ ପ୍ରତିମା ନାୟକଙ୍କ ଘରୁ ସୋମବାର ଉଦ୍ଧାର କରାଯାଇଛି। ନାବାଳିକା ଜଣକ କେନ୍ଦ୍ରାପଡ଼ା ଜିଲା ରାଜକନିକା ଅଞ୍ଚଳର ବୋଲି ଜଣାପଡିଛି।
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ତାଙ୍କ ଗାଁ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢୁଥିଲେ। ୨୦୨୧ ଫେବୃୟାରୀରେ ପ୍ରତିମାଙ୍କ ବାପା ଅନନ୍ତ ତାଙ୍କୁ କାମରେ ନିୟୋଜିତ ଉଦ୍ଦେଶ୍ୟରେ ଭୁବନେଶ୍ୱର ଆଣି ଝିଅ, ଜ୍ୱାଇଁ ଘରେ ଛାଡ଼ିଥିଲେ। ନାବାଳିକାଙ୍କୁ ନିଜ ଘରେ ଘରୋଇ ଚାକର ଭାବରେ ନିୟୋଜିତ କରାଇଥିଲେ ଦମ୍ପତି। କୌଣସି କାମରେ ତ୍ରୁଟି ହେଲେ ତାଙ୍କୁ ନିର୍ମମ ଅତ୍ୟାଚାର କରୁଥିଲେ। ବେଲଣା କାଠିରେ ମୁଣ୍ଡ, ପିଠିକୁ ମାଡ଼ ମାରୁଥିଲେ। ଏପରିକି ରୁଟି ସେକାରେ ଚେଙ୍କ ଦେଉଥିଲେ। ତାଙ୍କ ଶରୀରର ଅନେକ ସ୍ଥାନରେ ପୋଡ଼ା କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ନାବାଳିକାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯାଇଥିଲା। ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ବିଶ୍ୱ ଜୀବନ ସେବା ସଂଘ ଓପନ ସେଣ୍ଟରରେ ରଖାଯାଇଛି। ଏ ନେଇ ମଞ୍ଚେଶ୍ୱର ଥାନାରେ ଦମ୍ପତିଙ୍କ ବିରୋଧରେ ଅଭିଯୋଗ କରାଯାଇଥିବା ଚାଇଲ୍ଡ ଲାଇନ ଅଧ୍ୟକ୍ଷ ବେଣୁଧର ସେନାପତି ସୂଚନା ଦେଇଛନ୍ତି।