ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ଭୁବନେଶ୍ୱର,୨୨।୧(ବ୍ୟୁରୋ): କୋଭିଡ୍‌ କଟକଣା ମଧ୍ୟରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୧। ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ସ୍ଥାନୀୟ ଜନତା ମଇଦାନଠାରେ ଆୟୋଜିତ ଏହି ମେଳାକୁ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସରେ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ପୂର୍ବ ଭାରତର ସର୍ବବୃହତ ହସ୍ତଶିଳ୍ପ ମେଳା ‘ତୋଷାଳି’ ଚଳିତବର୍ଷ ଏକ ଅସାଧାରଣ ପରିସ୍ଥିତିରେ ଆୟୋଜିତ ହେଉଛି। ତେଣୁ ସମସ୍ତେ କୋଭିଡ୍‌ ଗାଇଡ୍‌ଲାଇନକୁ କଡ଼ାକଡ଼ି ପାଳନ କରନ୍ତୁ। ଓଡ଼ିଶା କଳା ଓ ସଂସ୍କୃତିର ଭୂମି। ଓଡ଼ିଆ କାରିଗର କୋଣାର୍କ ପରି ବିସ୍ମୟ ସୃଷ୍ଟି କରିପାରନ୍ତି। ଆମ କାରିଗରଙ୍କ ଦକ୍ଷତାର ତୁଳନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ମେଳାରେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପାଉଥିବା କାରିଗରଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଉଦ୍‌ଘାଟନୀ ସଭାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗଦେଇ ଚଳିତବର୍ଷ ମେଳାରେ ଭାଗନେଇଥିବା ହସ୍ତଶିଳ୍ପ କାରିଗର ଓ ବୁଣାକାରଙ୍କୁ ଉତ୍ସାହିତ କରିଥିଲେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ବିଜ୍ଞାନ ଓ କାରିଗରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଭାଗୀୟ ସଚିବ ଶୁଭା ଶର୍ମା, ବୟନ ଓ ହସ୍ତଶିଳ୍ପ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ୩ ଜଣ ଶିଳ୍ପୀଙ୍କୁ ୨୦୧୯ ମସିହା ଲାଗି ‘ରାଜ୍ୟ ହସ୍ତଶିଳ୍ପ ପୁରସ୍କାର’ ପ୍ରଦାନ କରାଯାଇଥିଲା। ସେମାନେ ହେଲେ ପଥର ଖୋଦେଇ ଶିଳ୍ପୀ ଦିବ୍ୟଜ୍ୟୋତି ବେହେରା, ତାଳପତ୍ର ଖୋଦେଇ ଶିଳ୍ପୀ ଦିଲୀପ କୁମାର ସ୍ବାଇଁ ଓ ମୃତ୍ତିକା ଶିଳ୍ପୀ ପ୍ରିୟଙ୍କା ପାତ୍ର। ସେହିଭଳି ୬ଜଣ ଶିଳ୍ପୀ ସୁଶାନ୍ତ କୁମାର ଦାସ(ପଥର ଖୋଦେଇ), ନିତ୍ୟାନନ୍ଦ ସ(ପଥର ଖୋଦେଇ), ରୋନିବାଳା ମହାପାତ୍ର(ପଟ୍ଟଚିତ୍ର ଶିଳ୍ପ), ନିର୍ମଳ ଚନ୍ଦ୍ର ଦାସ(ତାଳପତ୍ର ଖୋଦେଇ), ସୁରେଶ ଚନ୍ଦ୍ର ମହାପାତ୍ର(ଚାନ୍ଦୁଆ ହସ୍ତଶିଳ୍ପ) ଓ କୁନି ପାତ୍ର(ନଡ଼ା ଶିଳ୍ପ)ଙ୍କୁ ‘କଳାକୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ବିଭାଗୀୟ ଅତିରିକ୍ତ ଶାସନ ସଚିବ ତଥା ସିଡାକ୍‌ର ସଭ୍ୟସଚିବ କୈଳାସ ଚନ୍ଦ୍ର ସାହୁ ସ୍ବାଗତ ଭାଷଣ ଦେଇଥିଲେ।
ଫେବୃୟାରୀ ୪ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ଚଳିତବର୍ଷ ୨୫୦ଟି ହସ୍ତତନ୍ତ ଓ ହସ୍ତଶିଳ୍ପ ଷ୍ଟଲ୍‌ ଖୋଲାଯାଇଛି। ଏଥିରେ ଓଡ଼ିଶାର ୧୭୦ ଓ ବାହାର ରାଜ୍ୟର ୮୦ଜଣ ହସ୍ତଶିଳ୍ପୀ ଓ ବୁଣାକାର ଅଂଶଗ୍ରହଣ କରିଛନ୍ତି। କୋଭିଡ୍‌ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଥର ମେଳାରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ। ପ୍ରତିଦିନ ଅପରାହ୍ନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ମେଳା ଖୋଲା ରହିବ।

Share