ନୂଆଦିଲ୍ଲୀ, ୨୩।୮: ୧୩୮ କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଭାରତରେ ବର୍ତ୍ତମାନ ସୁଦ୍ଧା ୩ କୋଟି ୫୨ ଲକ୍ଷରୁ ଊର୍ଦ୍ଧ୍ୱ କରୋନା ସାମ୍ପଲ ଟେଷ୍ଟ ହୋଇସାରିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରବିବାର ପ୍ରଦାନ କରାଯାଇଥିବା ତଥ୍ୟ ମୁତାବକ ମୋଟ୍ ୩ କୋଟି ୫୨ ଲକ୍ଷ ୯୨ ହଜାର ୨୨୦ ସାମ୍ପଲ ଟେଷ୍ଟ ହୋଇଛି। କେବଳ ଶନିବାର ୮ ଲକ୍ଷ ଏକ ହଜାର ୧୪୭ ଜଣ ଲୋକଙ୍କ ସ୍ବାବ ସଂଗ୍ରହ କରାଯାଇଥିଲା। ସେହିଭଳି ଦେଶରେ ବର୍ତ୍ତମାନ ଏକ ହଜାର ୫୧୫ ଲ୍ୟାବରେ କରୋନା ଟେଷ୍ଟ କରାଯାଉଛି। ଯେଉଁଥିରୁ ୯୮୩ ସରକାରୀ ଲ୍ୟାବ ଓ ୫୩୨ ଘରୋଇ ଲ୍ୟାବ ରହିଛି। ଅପରପକ୍ଷରେ ଭାରତରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ରବିବାର ସୁଦ୍ଧା ୩୦ ଲକ୍ଷ ଅତିକ୍ରମ କରିସାରିଛି। ସଦ୍ୟତମ ରିପୋର୍ଟ ମୁତାବକ ୩୦ ଲକ୍ଷ ୫୦ ହଜାର ୩୨୬ ଜଣ ଲୋକ କରୋନା ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୬ ହଜାର ୮୮୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ୨୨ ଲକ୍ଷ ୮୨ ହଜାରରୁ ଊର୍ଦ୍ଧ୍ୱ ଲୋକ ଆରୋଗ୍ୟ ଲାଭ କରିସାରିଥିବାବେଳେ ଏବେ ମଧ୍ୟ ୭ ଲକ୍ଷ ୧୧ ହଜାର ଲୋକ ଚିକିତ୍ସିତ ହେଉଛନ୍ତି।