Categories: ବାଣିଜ୍ୟ

ଏଜିଇଏଲ୍‌ ସହ ଟୋଟାଲ ଏନର୍ଜିସ୍‌ର ସମ୍ପ୍ରସାରଣ ସହଭାଗିତା

ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦାନୀ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଆଦାନୀ ଗ୍ରୀନ୍‌ ଏନର୍ଜି ଲିମିଟେଡ୍‌ (ଏଜିଇଏଲ୍‌) ଏବଂ ଟୋଟାଲ ଏନର୍ଜିସ୍‌ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ନେଇ ବୁଝାମଣା ହୋଇଛି। ଉକ୍ତ ବୁଝାମଣା ଅନୁଯାୟୀ ଉଭୟ କମ୍ପାନୀର ଅଂଶଧନ ସମାନ ରହିବ। ଉଲ୍ଲେଖଯୋଗ୍ୟ, ୧୦୫୦ ମେଗାଓ୍ବାଟ୍‌ ପୋର୍ଟଫୋଲିଓଯୁକ୍ତ ସୌର ଓ ପବନ ଶକ୍ତି ଉଦ୍ୟୋଗରେ ବର୍ତ୍ତମାନ ସୁଦ୍ଧା ୩୦୦ ମେଗାଓ୍ବାଟ୍‌ କାର୍ଯ୍ୟକ୍ଷମ ହୋଇଛି, ଯାହାକି ପୂର୍ବରୁ ନିର୍ମିତ ହୋଇଥିଲା। ସେହିଭଳି ୫୦୦ ମେଗାଓ୍ବାଟ ନିର୍ମାଣାଧୀନ ଅବସ୍ଥାରେ ରହିଥିବାବେଳେ ୨୫୦ ମେଗାଓ୍ବାଟ ଅଣ୍ଡର ଡେଭଲପମେଣ୍ଟ ଅବସ୍ଥାରେ ରହିଛି। ଏ ସମ୍ପର୍କରେ ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ ଗୌତମ ଆଦାନୀ କହିଛନ୍ତି, ଟୋଟାଲ ଏନର୍ଜିସ୍‌ ସହ ଆମେ ଦୀର୍ଘତମ ସହଭାଗିତା କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏଜିଇଏଲ୍‌ ସହ ଟୋଟାଲ ଏନର୍ଜିସ୍‌ର ସମ୍ପ୍ରସାରଣ ସହଭାଗିତା ଆଗାମୀ ଦିନରେ ଏକ ବୈପ୍ଲବିକ ପରିବର୍ତ୍ତନ ଶିଳ୍ପରେ ଆଣିବ ବୋଲି ଆଶା କରାଯାଉଛି। ୨୦୨୩୦ ସୁଦ୍ଧା ଆମେ ୪୫ ଜିଡବ୍ଲ୍ୟୁ ରିନ୍ୟୁଏବୁଲ ଏନର୍ଜି ଉତ୍ପାଦନ କରିବୁ ବୋଲି ଆକଳନ କରିଛୁ। ସେହିଭଳି ଟୋଟାଲ ଏନର୍ଜିସ୍‌ର ଚେୟାରମ୍ୟାନ ଏବଂ ସିଇଓ ପାଟ୍ରିକ୍‌ ପୋୟାନେ କହିଛନ୍ତି, ଆମେ ଏଜିଇଏଲ୍‌ ସହ ସହଭାଗିତା କରି ବେଶ୍‌ ଆନନ୍ଦିତ ରହିଥିବାବେଳେ ଆଗାମୀ ଦିନରେ ଅକ୍ଷୟ ଶକ୍ତି ଶିଳ୍ପରେ ଉଲ୍ଲେଖନୀୟ ସଫଳତା ନେଇ ଆଶା ବାନ୍ଧିଛୁ।

Share