ସୋରଡ଼ାକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ସୋରଡ଼ା,୨୭ା୧୧(ଡି.ଏନ୍‌.ଏ.): ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଭିଡ଼ ଏବେ ସୋରଡ଼ା ଅଞ୍ଚଳରେ ଦେଖାଯାଇଛି। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥିବା ବେଳେ ସୋରଡ଼ା ଦେଇ ପର୍ଯ୍ୟଟକମାନେ ଯିବାଆସିବା କରିଥାନ୍ତି। ଯିବା ସମୟରେ ଏଠାକାର ପାହାଡ଼ ଉପର ଖୁଣ୍ଟେଶରୀ ମନ୍ଦିର,ସିଦ୍ଧେଶ୍ୱର ମନ୍ଦିର ତଥା ଚତୁଃପାର୍ଶ୍ୱରେ ସବୁଜିମା ପରିବେଶ,ପାହାଡ଼ ଉପରୁ ବୃହତ ଜଳଭଣ୍ଡାର ଦୃଶ୍ୟ, ଶିଶୁଉଦ୍ୟାନ ସମସ୍ତଙ୍କୁ ଆକୃଷ୍ଟ କରୁଛି। ନିକଟ ଭଗବାନପୁର ପାର୍ଶ୍ୱ ହୁଲୁହୁଳା ଜଳପ୍ରପାତ ପ୍ରଭୃତିରେ ବଣଭୋଜିର ମଜା ଉଠାଉଛନ୍ତି ପର୍ଯ୍ୟଟକ। ସବୁ ଅଞ୍ଚଳରୁ ଏଠାକୁ ଆଗମନ ଯୋଗୁ ହୋଟେଲ ବ୍ୟବସାୟୀ, ଚା’ ଦୋକାନୀଙ୍କ ବ୍ୟବସାୟ ବଢ଼ିଛି। ରାଜ୍ୟର ଭୁବନେଶ୍ବର,କଟକ,ବ୍ରହ୍ମପୁର ସମେତ ସବୁ ଜିଲା ଓ ପଶିମବଙ୍ଗର ପର୍ଯ୍ୟଟକମାନଙ୍କ ବହୁ ମାତ୍ରାରେ ୨୪ ଘଣ୍ଟିଆ ରାସ୍ତା ଚଳଚଞ୍ଚଳ ରହୁଛି। ଏଥିପାଇଁ ପୋଲିସ ପକ୍ଷରୁ ରାତ୍ରକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ମୁଣ୍ଡମରାଇଠାରୁ ଗଜଲବାଡ଼ି ପର୍ଯ୍ୟନ୍ତ ୪୫ କିମି ଜାତୀୟ ରାଜପଥରେ ଧୀରଗତିରେ ଗାଡ଼ି ଚାଳନା ପାଇଁ କୁହାଯାଉଛି। ସବୁସ୍ଥାନରେ ବଣଭୋଜିର ଆୟୋଜନ ସାଙ୍ଗକୁ ନୃତ୍ୟ ଗୀତର ଆସର ଚାଲିଥିବା ଦେଖିବାକୁ ମିଳିଛି।