ବିନା ମାସ୍କରେ ଧରାପଡ଼ିଲେ ୫ହଜାର ଜରିମାନା ନଚେତ୍‌ ୮ଦିନ ଜେଲ୍‌

କୁଲୁ,୯।୭: କରୋନା ଲକ୍‌ଡାଉନ କଟକଣା କୋହଳ ହେବା ପରେ ହିମାଚଳ ପ୍ରଦେଶରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି। ଯାହା କରୋନା ସଂକ୍ରମଣ ବ୍ୟାପିବା ଭୟକୁ ଆହୁରି ଦ୍ୱିଗୁଣିତ କରିଦେଇଛି। ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଯଦି ମନାଲିରେ କୌଣସି ବ୍ୟକ୍ତି ବିନା ମାସ୍କରେ ଧରାପଡ଼ନ୍ତି ତେବେ ସେମାନଙ୍କ ଉପରେ ୫ହଜାର ଟଙ୍କା ଜରିମାନା କିମ୍ବା ୮ଦିନିଆ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶରେ କରୋନା କଟକଣା କୋହଳ ହେବା ପରେ ଅନ୍ୟ ରାଜ୍ୟରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ରାଜ୍ୟ ପୋଲିସର ସୂଚନା ଅନୁସାରେ ପ୍ରତିଦିନ ଏଠାକୁ ବାହାର ରାଜ୍ୟର ୧୮ରୁ ୨୦ହଜାର ଯାତ୍ରୀଙ୍କ ଯାନବାହନ ପ୍ରବେଶ କରୁଛି। ତେବେ ଅନ୍ୟ ରାଜ୍ୟର ପର୍ଯ୍ୟଟକଙ୍କ ଆଗମନ ଯୋଗୁ ମନାଲୀ ସମେତ ହିମାଚଳ ପ୍ରଦେଶରେ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ବୃଦ୍ଧି ପାଇଛି।

Share