କଇଁଛଙ୍କ ପ୍ରଜନନସ୍ଥଳୀରେ ପର୍ଯ୍ୟଟକଙ୍କ ଭୋଜିଭାତର ଆସର: ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଚାନ୍ଦବାଲି,୯ା୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନବିଭାଗ ଅଧିନସ୍ଥ ଧାମରା-ଉଡ଼ାବାଲିକୁ କଇଁଛର ଆଶ୍ରୟସ୍ଥଳୀ କୁହାଯାଉଥିବା ବେଳେ ଏବେ ପର୍ଯ୍ୟଟକମାନଙ୍କର ଭୋଜିଭାତର ଆସର ସେଠାରେ ଜମୁଛି। ଏହି ଅଞ୍ଚଳରେ ପର୍ଯ୍ୟଟକମାନଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି। ରବିବାର ଶତାଧିକ ପର୍ଯ୍ୟଟକଙ୍କ ଗହଳିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଉଡ଼ାବାଲି କେନ୍ଦ୍ରରେ କଇଁଛମାନଙ୍କ ଅଣ୍ଡାଦାନ ସମୟରେ ବିଭିନ୍ନ କଟକଣା ରହିଥିବା ବେଳେ କେମିତି ପର୍ଯ୍ୟଟକମାନଙ୍କର ଗହଳି ହୋଇଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। କଇଁଛଙ୍କ ପ୍ରଜନନ ସମୟରେ ବିଭିନ୍ନ କଟକଣା ରହିଥିବା ବେଳେ ବନ ବିଭାଗ ୨୪ଘଣ୍ଟିଆ ପହରା କାର୍ଯ୍ୟ କରିବା କଥା। ହେଲେ କେଉଁ ଆଧାରରେ ବନବିଭାଗର ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ବନବିଭାଗ କର୍ମଚାରୀ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରି ଦେଇଛନ୍ତି l