Advertisement

ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ଭିଡ଼: ଡମ୍ପିଂୟାର୍ଡର ନଥିବାରୁ କୁଢ଼କୁଢ଼ ଆବର୍ଜନା ଦୁର୍ଗନ୍ଧରେ ନାକ ଟେକୁଛନ୍ତି…

ଦାରିଙ୍ଗବାଡି,୫।୧୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିର ପର୍ଯ୍ୟଟନକ୍ଷେତ୍ର ଓ ଜଙ୍ଗଲ ଏବେ ଦୂଷିତ ପରିବେଶ ଦିଗକୁ ଗତି କରୁଛି । ପ୍ରତିଦିନ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି। ଏହା ସହ ବିଭିନ୍ନ ସ୍ଥାନରୁ ସରକାରୀ ଓ ବେସରକାରୀ କାର୍ଯ୍ୟରେ ଶହ ଶହ ଲୋକ ଦାରିଙ୍ଗବାଡି ଆସୁଛନ୍ତି। ସେହି ତୁଳନାରେ ବ୍ୟବସାୟ କରିବା ପାଇଁ ପନିପରିବା ଦୋକାନ ଠାରୁ ଆରମ୍ଭ କରି ଜଳଖିଆ, ଚା’ ମିଲ୍ସ ହୋଟେଲଗୁଡିକ ରହିଛି। ଏହି ସବୁ ବ୍ୟବସାୟିକ କ୍ଷେତ୍ରରୁ ଦୈନିକ କୁଢ଼ କୁଢ଼ ପ୍ଲାଷ୍ଟିକ, ଥର୍ମାକଲ ପ୍ଲେଟ, ପଲିଥିନ, ପେପର କପ୍‌ ସମେତ ଅନେକ ଅଳିଆ ଆବର୍ଜନା ବାହାରୁଛି। ହେଲେ ଏହାକୁ ଗୋଟିଏ ସ୍ଥାନରେ ପକାଯିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ସ୍ଥାନରେ ଡମ୍ପିଂୟାର୍ଡର ବ୍ୟବସ୍ଥାନାହିଁ । ଫଳରେ ବଜାର ସମେତ ପର୍ଯ୍ୟଟନକ୍ଷେତ୍ର ଜଙ୍ଗଲ ଓ ପରିବେଶ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି। ଏହାର ଦୁର୍ଗନ୍ଧରେ ପର୍ଯ୍ୟଟକ ନାକ ଟେକୁଛନ୍ତି।
ଏ ନେଇ ଦାରିଙ୍ଗବାଡି ତହସିଲଦାର ଶରତ ଶବର କହିଛନ୍ତି ଡମ୍ପିଂୟାର୍ଡ ପାଇଁ ଜମି ଚି଼ହ୍ନଟ ହୋଇସାରିଛି। କିନ୍ତୁ ଡମ୍ପିଂୟାର୍ଡ କେବଳ କରାଗଲେ ହେବନି ପ୍ରତିଦିନ ବାହାରୁଥିବା ଆବର୍ଜନାକୁ ନଷ୍ଟ ପ୍ରକ୍ରିୟା ପାଇଁ ପଞ୍ଚାୟତ ତାର ଦାୟିତ୍ୱ କରିବା ଦରକାର।
ଏ ନେଇ ଦାରିଙ୍ଗବାଡି ସରପଞ୍ଚ ଚନ୍ଦ୍ରିକା ମଲିକ କହିଛନ୍ତି ଯେ, ପ୍ରଥମେ ଡମ୍ପିଂୟାର୍ଡର ପାଇଁ ଜମି ପ୍ରଦାନ କଲେ ପଞ୍ଚାୟତ ହେଉ କି ପଞ୍ଚାୟତ ସମିତି ଆବର୍ଜନା ଗୁଡିକ ନେଇ ନଷ୍ଟ କରିବ। ଆବର୍ଜନା ବାହାରେ ପକାଇବା ପାଇଁ ପଞ୍ଚାୟତ ଏକ ଗାଡି ପାଇଁ ପ୍ରୋପଜାଲ ପଠାଇଥିବା ସରପଞ୍ଚ କହିଛନ୍ତି। ପ୍ରଶାସନ ଓ ପଞ୍ଚାୟତ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ଦାରିଙ୍ଗବାଡି ଏବେ ଅଳିଆ ଗଦାରେ ରହିଛି ବୋଲି କୁହାଯାଉଛି। ପର୍ଯ୍ୟଟକ ଏବେ ଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ଦାରିଙ୍ଗବାଡି ବୁଲିବାକୁ ଆସିବେ। ତେଣୁ ଏହା ପୂର୍ବରୁ ଡମ୍ପିଂୟାର୍ଡ ହୋଇଯିବା ଦରକାର ବୋଲି ଅଞ୍ଚଳର ବ୍ୟବସାୟୀ ମାନେ ଦାବି କରିଛନ୍ତ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share