ପ୍ରଥମ ଦିନରେ ୨୨ କଟେଜରେ ପର୍ଯ୍ୟଟକ

କୋଣାର୍କ,୧୦ା୧୨(ଡି.ଏନ୍‌.ଏ.):ଓଡ଼ିଶାର ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ପର୍ଯ୍ୟଟକଙ୍କୁ ଆଡ୍‌ଭେଞ୍ଚର ସ୍ପୋର୍ଟସ, ମନୋରଞ୍ଜନ ଆଦିର ଭିନ୍ନ ଅନୁଭବ ଦେବାକୁ ବୁଧବାରଠାରୁ ଆରମ୍ଭ ହୋଇଛି ‘ଇକୋ ରିଟ୍ରିଟ୍‌’। ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟର ୫ଟି ସ୍ଥାନରେ ଆୟୋଜିତ ଏହି ଫେଷ୍ଟିଭାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିବାବେଳେ ଦ୍ୱିତୀୟଥର ଆରମ୍ଭ ହୋଇଥିବା ‘କୋଣାର୍କ ଇକୋ ରିଟ୍ରିଟ୍‌’ ପ୍ରତି ପର୍ଯ୍ୟଟକମାନେ ଅଧିକ ଆକର୍ଷିତ ହୋଇଛନ୍ତି। ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ବେଳାଭୂମିର ପ୍ରାକୃତିକ ପରିବେଶ, ବିଳାସପୂର୍ଣ୍ଣ କଟେଜରେ ରାତ୍ରିଯାପନର ଅନନ୍ୟ ଅନୁଭୂତି ଆଣିଦେଉଛି କୋଣାର୍କ ଇକୋ ରିଟ୍ରିଟ୍‌। ଇତିମଧ୍ୟରେ ୪ଶହରୁ ଅଧିକ ବୁକିଂ ହୋଇଥିବାବେଳେ ମୋଟ ୫୦ଟି ଅତ୍ୟାଧୁନିକ କଟେଜ ମଧ୍ୟରୁ ପ୍ରଥମ ଦିନରେ ୨୨ କଟେଜରେ ପର୍ଯ୍ୟଟକମାନେ ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆକର୍ଷଣୀୟ ସାଜସଜ୍ଜା ଭିତରେ ଦିନରେ ଇକୋ ରିଟ୍ରିଟ୍‌ ସ୍ଥଳ ଉତ୍ସବମୁଖର ହୋଇପଡୁଥିବାବେଳେ ସନ୍ଧ୍ୟାରେ ଝଲସି ଉଠୁଛି ସମୁଦ୍ର ବେଳାଭୂମି। ଅତ୍ୟାଧୁନିକ କଟେଜରେ ରହିଛି ପଞ୍ଚତାରକା ହୋଟେଲ ଭଳି ସମସ୍ତ ସୁବିଧା ରହିଛି। ଏହାସହ ଇକୋ ରିଟ୍ରିଟ ପରିସରରେ ୩ଡି ମ୍ୟାପିଙ୍ଗ, ଜଳକ୍ରୀଡ଼ା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ପାରା ମୋଟରିଂ, ବାନାନା ରାଇଡ, ଜର୍ବିଂ, ବିଚ୍‌ ଭଲିବଲ, କାଇଟ୍‌ ଫ୍ଲାଇଙ୍ଗ, ପାରାସେଲିଂ, ସେଲଫି ପଏଣ୍ଟ ଆଦି ପର୍ଯ୍ୟଟନଙ୍କ ଚିତ୍ତ ବିନୋଦର ନିଆରା ପରିବେଶ ସୃଷ୍ଟି କରୁଛି। ମାସ୍କ ଓ ସାମାଜିକ ଦୂରତାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଫେବୃୟାରୀ ୨୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଇକୋ ରିଟ୍ରିଟ୍‌କୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପର୍ଯ୍ୟଟନ ସଚିବ ବିଶାଲ ଦେବ, ଜଗତ୍‌ସିଂହପୁର ଏମ୍‌ପି ରାଜଶ୍ରୀ ମଲ୍ଲିକ ଓ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ବେଲୁନ ଉଡ଼ାଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଓଡ଼ିଶା ଉନ୍ନୟନ ନିଗମ ମହାପ୍ରବନ୍ଧକ ପି.କେ. ଚାନ୍ଦ, ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ, ସରୋଜକାନ୍ତ ପ୍ରଧାନ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।

Share