ପୁଣିଥରେ ନନ୍ଦନକାନନ ରୋପ୍‌ୱେର ମଜା ନେବେ ପର୍ଯ୍ୟଟକ

ବାରଙ୍ଗ,୧୭।୧୧(ଲିଙ୍ଗରାଜ ରାଉତ): ପୁଣି ନନ୍ଦନକାନରେ ପର୍ଯ୍ୟଟକମାନେ ରୋପ୍‌ଓ୍ବେର ମଜା ନେବେ। ଏହି ବହୁପ୍ରତୀକ୍ଷିତ ରୋପ୍‌ୱେ ଶୁକ୍ରବାର ଉଦ୍‌ଘାଟନ ହେବାକୁ ଯାଉଛି। ଅପରାହ୍ନ ୪ଟାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ। ଶନିବାରଠାରୁ ପର୍ଯ୍ୟଟକ ରୋପ୍‌ୱେରେ ବୁଲି ଏହାର ମଜା ଉଠାଇପାରିବେ। ରୋପ୍‌ୱେର ନିର୍ମାଣ, ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ କୋଲକାତାର ଏକ ଘରୋଇ ସଂସ୍ଥା ଦାମୋଦର ରୋପ୍‌ୱେଜ୍‌ ଇନ୍‌ଫ୍ରା ଲିମିଟେଡ୍‌ ସହିତ ଅକ୍ଟୋବର ୨୦୨୧ରେ ନନ୍ଦନକାନନ କର୍ତ୍ତୃପକ୍ଷ ଚୁକ୍ତିନାମା କରିଥିଲେ। ଚୁକ୍ତିନାମା ଅନୁସାରେ ସମସ୍ତ କାର୍ଯ୍ୟ ସରିବା ପରେ ଜୁନ ୧୩ରେ ରୋପ୍‌ଓ୍ବେ ଭିସିବି ୟୁନିଟ୍‌ ପରୀକ୍ଷାବେଳେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଫାଟି ୩ଜଣ ଗୁରୁତର ଆହତ ହୋଇଥିଲେ। ସେହିଦିନଠାରୁ ରୋପ୍‌ଓ୍ବେ କାର୍ଯ୍ୟ ଉପରେ ଅଙ୍କୁଶ ଲାଗିଥିଲା। ତେବେ ରୋପ୍‌ୱେ ଚଳାଚଳ ସମୟରେ କୌଣସି ଦୁର୍ଘଟଣା ଘଟିଲେ କିପରି ମୁକାବିଲା କରାଯିବ, ସେନେଇ ୬ ତାରିଖରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ନେଇଥିବା ସଂସ୍ଥା ପକ୍ଷରୁ ମକଡ୍ରିଲ କରାଯାଇଥିଲା। ଏହାପରେ ଉକ୍ତ ସଂସ୍ଥାକୁ ରୋପ୍‌ୱେ ଚଳାଚଳ ପାଇଁ ନନ୍ଦନକାନନ ପକ୍ଷରୁ ସ୍ବୀକୃତି ମିଳିଛି। ନନ୍ଦନକାନନ ଓ ରାଜଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ୬୦୦ମିଟର ଲମ୍ବର ରୋପ୍‌ୱେ ନିର୍ମାଣ ପାଇଁ ୧୩ କୋଟିରୁ ଊଦ୍ଧର୍‌ବ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଥିରେ ସମୁଦାୟ ୧୨ଟି କ୍ୟାବିନ ବ୍ୟବସ୍ଥା ହୋଇଥିବାବେଳେ ୭୨ଜଣ ପର୍ଯ୍ୟଟକ ବସିପାରିବେ। ଏହି ରୋପ୍‌ଓ୍ବେ ନନ୍ଦନକାନନରୁ ବାହାରି କାଞ୍ଜିଆ ହ୍ରଦ ଉପରେ ବୁଲିବାବେଳେ ହ୍ରଦର ପ୍ରାକୃତିକ ପରିବେଶକୁ ଉପଭୋଗ କରିହେବ। ଟିକେଟ ମୂଲ୍ୟ ୧୨୦ ଟଙ୍କା ଧାର୍ଯ୍ୟ ହୋଇଛି। ଏହାସହ ନନ୍ଦନକାନନ ପଟରୁ ରୋପ୍‌ୱେରେ ବସି ବଟାନିକାର୍ଲ ଗାର୍ଡେନ ପଟେ ଓହ୍ଲାଇଲେ ଓ ବଟାନିକାର୍ଲ ଗାର୍ଡେନ ପଟେ ବସି ନନ୍ଦନକାନନ ପଟେ ଓହ୍ଲାଇଲେ ପର୍ଯ୍ୟଟକଙ୍କୁ ଉଭୟ ପାର୍ଶ୍ୱର ପ୍ରବେଶ ମୂଲ୍ୟ ଅଧିକ ଦେବାକୁ ପଡ଼ିବ। ଯଦି ବଟାନିକାର୍ଲ ଗାର୍ଡେନ ପଟୁ ରୋପ୍‌ୱେରେ ବସି ନନ୍ଦନକାନନ ପଟେ ଓହ୍ଲାଇଲେ ୩-୧୨ବର୍ଷର ପିଲାଙ୍କ ପାଇଁ ୧୦ଟଙ୍କା, ୧୨ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କ ପାଇଁ ୫୦ଟଙ୍କା ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ୧୦୦ ଟଙ୍କା ପ୍ରବେଶ ମୂଲ୍ୟ ଦେବାକୁ ପଡ଼ିବ। ସେହିପରି ନନ୍ଦନକାନନ ପଟୁ ରୋପ୍‌ୱେରେ ବସି ବଟାନିକାର୍ଲ ଗାର୍ଡେନ ପଟେ ଓହ୍ଲାଇଲେ ୧୨ବର୍ଷରୁ କମ୍‌ ବୟସ ପିଲାଙ୍କ ପାଇଁ ପ୍ରବେଶ ମୂଲ୍ୟ ଦେବାକୁ ପଡୁ ନ ଥିବାବେଳେ ୧୨ବର୍ଷରୁ ଊର୍ଦ୍ଧ୍ୱ ବୟସ ପିଲାଙ୍କ ପାଇଁ ଅଧିକ ୨୦ ଟଙ୍କା ଦେବାକୁ ପଡ଼ିବ। ଏଥିନିମନ୍ତେ ରୋପ୍‌ୱେ କାଉଣ୍ଟର ପାଖରେ ଥିବା ସ୍ବତନ୍ତ୍ର କାଉଣ୍ଟରରେ ପର୍ଯ୍ୟଟକଙ୍କ ପାଇଁ ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଟିକେଟ କାଟିବା ସୁବିଧା କରାଯାଇଛି ବୋଲି ଉପନିର୍ଦ୍ଦେଶକ ସନଥ କୁମାର ଏନ୍‌ ସୂଚନା ଦେଇଛନ୍ତି।

Share