ଅନୁଗୋଳ ଅଫିସ, ୪।୧୧ – ଦୀପାବଳିରେ ବାଣ ବିକ୍ରି ଓ ଫୁଟାଯିବା ଉପରେ ସରକାର ମଙ୍ଗଳବାର ସମ୍ପୂର୍ଣ୍ଣ କଟକଣା ଲଗାଇବା ପରେ ଅନୁଗୋଳ ଜିଲାର ବାଣ ବ୍ୟବସାୟୀଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି। କୋଭିଡ୍ ପାଇଁ ସବୁ ପର୍ବ ମାଡ଼ ଖାଇଯାଉଥିବା ବେଳେ ଦୀପାବଳିରେ କିଛିଟା ବ୍ୟବସାୟ କରିବାକୁ ସେମାନେ ଆଶା ରଖିଥିଲେ। ହେଲେ ସରକାର କଟକଣା ସମ୍ପର୍କରେ ଘୋଷଣା କରିବା ପରେ କେତେଜଣ ବ୍ୟବସାୟୀ ଓ ଜନସାଧାରଣ ଗୋଦାମରୁ ବାଣ ଧରି ଗାଁମୁହାଁ ହୋଇଥିବା ଦେଖିବାକୁ ମିଳିଛି।
ଦୀପାବଳି ପୂର୍ବରୁ ଅନୁଗୋଳ ସହର ତଥା ବିଭିନ୍ନ ସ୍ଥାନରେ ବାଣ ବେପାର ଆରମ୍ଭ ହୁଏ। ବିଶେଷକରି ଅନୁଗୋଳ ଷ୍ଟାଡିୟମରେ ବହୁ ଅସ୍ଥାୟୀ ଦୋକାନ ଖୋଲେ। ସେହିପରି ଗ୍ରାମାଞ୍ଚଳରେ ମଧ୍ୟ ଜୋରଦାର ବ୍ୟବସାୟ ହୁଏ। କିନ୍ତୁ ଚଳିତବର୍ଷ କରୋନା କଟକଣା ଯୋଗୁ ଦୀପାବଳିରେ ବାଣ ଫୁଟାଯିବା ନେଇ ସରକାର କଟକଣା ଲଗାଇପାରନ୍ତି ବୋଲି ଆଶଙ୍କା କରାଯାଉଥିଲା। ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପୂର୍ବରୁ କିଛି ସ୍ପଷ୍ଟ କରାଯାଇ ନ ଥିଲା। ତଥାପି ସହର ଉପକଣ୍ଠରେ ଥିବା କୁମଣ୍ଡର କେତେକ ବାଣ ଗୋଦାମରେ ବିକ୍ରିବଟା ଆରମ୍ଭ ହୋଇଯାଇଥିଲା। ତେବେ ସରକାର ଏ ନେଇ ନିଷ୍ପତ୍ତି ଜଣାଇବା ପରେ ବ୍ୟବସାୟୀ ମହଲରେ ନିରାଶା ଖେଳିଯାଇଛି। ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରୁ ଲୋକମାନେ ଆସି କୁମଣ୍ଡସ୍ଥିତ ଗୋଦାମରୁ ପେଟି ପେଟି ବାଣ ଗାଁକୁ ବୋହି ନେଇଥିବା ଦେଖିବାକୁ ମିଳିଛି। ଏ ନେଇ ପୋଲିସ ନା ପ୍ରଶାସନ କାହାରି ନିକଟରେ କିଛି ବି ସୂଚନା ନାହିଁ। ଏ ସମ୍ପର୍କରେ ଅନୁଗୋଳ ଏସ୍ଡିପିଓ ଅଶ୍ୱିନୀ ସାହୁ କହିଛନ୍ତି, କୁମଣ୍ଡରେ ଯେଉଁ ଗୋଦାମ ରହିଛି ତାହାର ଲାଇସେନ୍ସ ଯାଞ୍ଚ କରାଯିବ। ବାଣ ରଖିବାକୁ ଅନୁମତି ଥିଲେ ବ୍ୟବସାୟ କରିପାରିବା କଥା ନୁହେଁ। ଏ ନେଇ ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ଡିପିଓ ସାହୁ ପ୍ରକାଶ କରିଛନ୍ତି।