Categories: ବାଣିଜ୍ୟ

ଟିପିସିଓଡିଏଲ୍‌ର ‘ବିଲ୍‌ ପେ ଆଣ୍ଡ ୱିନ୍‌ ସ୍କିମ୍‌’

ଭୁବନେଶ୍ୱର,୧୮।୯: ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ଅଭିନବ ଯୋଜନା ‘ବିଲ୍‌ ପେ ଆଣ୍ଡ ୱିନ୍‌ ସ୍କିମ୍‌’ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଟିପିସିଓଡିଏଲ୍‌ର ଗ୍ରାହକମାନେ ଏହି ଯୋଜନା ଜରିଆରେ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ପାଇପାରିବେ। ଏପରିକି ଯେଉଁ ଗ୍ରାହକମାନେ ଧାର୍ଯ୍ୟ ତାରିଖ ମଧ୍ୟରେ ୧୨ ମାସର ବିଦ୍ୟୁତ୍‌ ବିଲ୍‌ ପୈଠ କରିଥିବେ ସେମାନେ ଏକ ମାସର ବିଲ୍‌ ରିହାତି ଆକାରରେ ପାଇବେ, ଯାହା ୧୧ ମାସର ବିଲ୍‌ ସହିତ ସମାନ ବୋଲି କୁହାଯାଇଛି।

ସେହିଭଳି ଲକି ଡ୍ର ଜରିଆରେ ପ୍ରଥମ ୨୦୦ ଗ୍ରାହକ ସ୍ମାର୍ଟ ମୋବାଇଲ୍‌ ଫୋନ୍‌ ମଧ୍ୟରୁ ଗୋଟିଏ ଜିତିବାର ସୁଯୋଗ ପାଇବେ ା ଏହି ସ୍କିମ୍‌ର ଲାଭ ପାଇବା ପାଇଁ ଗ୍ରାହକଙ୍କୁ ପ୍ରତି ମାସ ଶେଷରେ ଶୂନ୍ୟ-ବକେୟା ସ୍ଥିତି ବଜାୟ ରଖିବାକୁ ପଡ଼ିବ। ଏହା ବ୍ୟତୀତ ଟିପିସିଓଡିଏଲ୍‌ ଠିକ୍‌ ସମୟରେ ବିଲ୍‌ ପୈଠ କରୁଥିବା ଗ୍ରାହକଙ୍କ ପାଇଁ ୪% ଡିଜିଟାଲ ରିହାତି ଏବଂ ୟୁନିଟ୍‌ ପିଛା ୧୦ ପଇସା ପ୍ରମ୍ପ୍ଟ ପେମେଣ୍ଟ୍‌ ରିହାତି ପ୍ରଦାନ କରିଥାଏ। ସେହିପରି ଗ୍ରାମୀଣ ଗ୍ରାହକଙ୍କ ପାଇଁ ୟୁନିଟ୍‌ ପିଛା ଅତିରିକ୍ତ ୧୦ପଇସା ରିହାତି ପ୍ରଦାନ କରିଥାଏ ଓ ଯେଉଁ ଗ୍ରାହକମାନେ ୧୨ମାସର ବିଲ୍‌ ଠିକ୍‌ ସମୟରେ ପୈଠ କରିବେ ସେମାନଙ୍କୁ ମାର୍ଚ୍ଚ ମାସରେ ଦିଆଯାଉଥିବା ରିହାତି ପରିମାଣର ସମାନ ଆଉ ଏକ ରିହାତି ପାଇ ପାରିବେ।

ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂ କହିଛନ୍ତି, ଆମେ ଗ୍ରାହକଙ୍କୁ ନିରବଚ୍ଛିନ୍ନ ବିଜୁଳି ଏବଂ ଅଭିନବ ଅନୁଭୂତି ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ‘ବିଲ୍‌ ପେ ଆଣ୍ଡ ୱିନ୍‌’ ସ୍କିମ୍‌ ଗ୍ରାହକଙ୍କ ସନ୍ତୋଷ ଏବଂ ଡିଜିଟାଲ୍‌ ଦେୟ ପ୍ରତି ଆମର ସମର୍ପଣକୁ ପ୍ରତିଫଳିତ କରୁଛି। ଆମେ ଆମର ସମସ୍ତ ଗ୍ରାହକଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ଏବଂ ଏହାର ଲାଭ ହାସଲ କରିବାକୁ ଉତ୍ସାହିତ କରୁଛୁ।

Share