Categories: ବାଣିଜ୍ୟ

ଟିପିସିଓଡିଏଲ୍‌ର ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଡିସ୍‌ପେନ୍‌ସାରି

ଭୁବନେଶ୍ୱର,୬।୯: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ସ୍ବତନ୍ତ୍ର ସ୍ବାସ୍ଥ୍ୟ ପ୍ରକଳ୍ପ ‘ଆରୋଗ୍ୟ’ ଅଧୀନରେ ୨ଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଡିସ୍‌ପେନ୍‌ସାରିକୁ ନିକଟରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉକ୍ତ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଡିସ୍‌ପେନ୍‌ସାରିକୁ ଉଦ୍‌ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଟିପିସିଓଡିଏଲ୍‌ର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷ କରି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସ୍ବାସ୍ଥ୍ୟସେବା ପ୍ରଦାନ କରିବା ଲାଗି ଏହି ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଡିସ୍‌ପେନ୍‌ସାରି ଭୁବନେଶ୍ୱର ସର୍କଲ୍‌-୨ ଏବଂ ପାରାଦୀପ ସର୍କଲରେ ଉକ୍ତ ଡିସ୍‌ପେନ୍‌ସାରିକୁ ମୁତୟନ କରାଯାଇଛି। ଭୁବନେଶ୍ୱର ସର୍କଲ-୨ରେ ମୁତୟନ କରାଯାଇଥିବା ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଡିସ୍‌ପେନ୍‌ସାରି ନୟାଗଡ଼, ଖୋର୍ଦ୍ଧା ଓ ବାଲୁଗାଁ ଡିଭିଜନରେ ସେବା ପ୍ରଦାନ କରିବ। ସେହିଭଳି ପାରାଦୀପ ସର୍କଲରେ ମୁତୟନ କରାଯାଇଥିବା ଭ୍ରାମ୍ୟମାଣ ଡିସ୍‌ପେନ୍‌ସାରି ପାରାଦୀପ, କେନ୍ଦ୍ରାପଡ଼ା ଓ ମାର୍ଶାଘାଇ ଡିଭିଜନରେ ଆବଶ୍ୟକ ସ୍ବାସ୍ଥ୍ୟସେବା ପ୍ରଦାନ କରିବ। ବିଶେଷକରି ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟଙ୍କ ଭଳି ଅଭିଜ୍ଞ ମେଡିକାଲ ପେସାଦାରମାନେ ଆବଶ୍ୟକ ସେବା ଯୋଗାଇବା ସହ ଲୋକମାନଙ୍କୁ ମାଗଣାରେ ପରାମର୍ଶ ଓ ଔଷଧ ପ୍ରଦାନ କରୁଛନ୍ତି। ଏପରିକି ଉକ୍ତ ଭ୍ରାମ୍ୟମାଣ ଡିସ୍‌ପେନ୍‌ସାରିକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି, ଯାହା ଦ୍ୱାରା ରୋଗୀଙ୍କୁ ଆବଶ୍ୟକ ସେବା ବ୍ୟତୀତ ସ୍ବାସ୍ଥ୍ୟସେବା ପରାମର୍ଶ, ସ୍ବଚ୍ଛତା ଓ ସଚେତନତା କାର୍ଯ୍ୟକ୍ରମ ଏବଂ ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସହଯୋଗରେ ଗୁରୁତ୍ୱର ମାମଲାଗୁଡ଼ିକ ପାଇଁ ସ୍ବତନ୍ତ୍ର ଆମ୍ବୁଲାନ୍ସ ସେବା ପ୍ରଦାନ କରୁଛି। ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ଏକ ସମୃଦ୍ଧ ସମୁଦାୟର ମୂଳଦୁଆ ପାଇଁ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ପହଞ୍ଚିବା ଜରୁରୀ ବୋଲି ଆମର ବିଶ୍ୱାସ ରହିଛି।

Share