Categories: ଜାତୀୟ

ଓଲଟିଲା ଟ୍ରାକ୍ଟର, ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୩।୬: ମଧ୍ୟପ୍ରଦେଶ ଅନ୍ତର୍ଗତ ରାଜଗଡ଼ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଓଲଟିପଡ଼ିବାରୁ ଏହାର ଡାଲାରେ ବସିଥିବା ଚାରିଜଣ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହିତ ୧୫ ଜଣ ଲୋକ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଏକ ବାହାଘର ପ୍ରୋସସନ୍‌ ଚାଲିଥିବା ବେଳେ ରବିବାର ରାତି ୮ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ବାହଘରଟି ରାଜସ୍ଥାନର ମୋତିପୁର ଅଞ୍ଚଳରୁ ବାହାରି କୁଲାମପୁର ଅଞ୍ଚଳକୁ ଯାଉଥିଲା। ତେବେ ଏହି ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସୋସିଆଲ ମଡିଆରେ ଜଣାଇଛନ୍ତି ଯେ, ଦୁର୍ଘଟଣା ସ୍ଥଳରେ ରାଜଗଡ଼ ଜିଲ୍ଲାପାଳ, ପୋଲିସ ଅଧିକ୍ଷକ ଏବଂ ମନ୍ତ୍ରୀ ନାରାୟଣ ସିଂ ପନୱାର ଉପସ୍ଥିତ ରହିଛନ୍ତି। ଆମେ ରାଜସ୍ଥାନ ସରକାର ଏବଂ ପୋଲିସ ସହିତ ଯୋଗାଯୋଗରେ ରହିଛୁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତମାନଙ୍କ ଚିକିତ୍ସା ଜାରି ରହିଛି। ଗୁରୁତରଙ୍କୁ ଭୋପାଳ ହସ୍ପିଟାଲକୁ ରେଫର କରାଯାଇଛି। ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

Share