ସରକାରୀ ଜାଗାରୁ ମୋରମ ଖୋଳି ଲୁଟୁଛନ୍ତି ମାଫିଆ, ଟାକ୍ଟର-ଜେସିବି ଜବତ

ହାଟଡିହୀ,୨୭ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ପୋଲିସ ମୋରମ ଏବଂ ପଥର ମାଫିଆମାନଙ୍କ ପାଇଁ ଏବେ କଣ୍ଟା ସାଜିଛି। ନିକଟରେ ହଦଗଡ଼ ହସ୍ତୀ ଅଭୟାରଣ୍ୟ ଥିବା ବେଳେ ଏହି ଥାନା ଅଞ୍ଚଳଟି ଉଭୟ ଭଦ୍ରକ ଏବଂ ବାଲେଶ୍ୱର ଜିଲାକୁ ସଂଲଗ୍ନ କରୁଛି। ଫଳରେ ମାଫିଆମାନେ ଚୋରା ମୋରମ ଏବଂ ପଥର ପରିବହନ କ୍ଷେତ୍ରରେ ସୁଗମ ହେଉଛି। ପୂର୍ବରୁ ହସ୍ତୀ ଅଭୟାରଣ୍ୟ, ଗ୍ରାମ୍ୟ ଜଙ୍ଗଲ, ସରକାରୀ ଜାଗା ଅଞ୍ଚଳଗୁଡ଼ିକରୁ ମୋରମ, ପଥର ଖୋଲି ଚୋରା ଚାଲାଣ ହେବାର ବହୁ ଉଦାହରଣ ରହିଛି। କିନ୍ତୁ ମାଫିଆମାନେ କେତେବେଳେ ଖସି ଯାଉଥିବା ବେଳେ ଆଉ କେତେବେଳେ ଧରା ମଧ୍ୟ ପଡ଼ି ଗିରଫ ହେଉଛନ୍ତି। ସୋସୋ ଅଞ୍ଚଳରେ ମାଫିଆମାନଙ୍କୁ ସାବାଡ଼ କରିବା ପାଇଁ ଆନନ୍ଦପୁର ଡିଏସ୍‌ପିଙ୍କ ତତ୍ତ୍ୱାବଧାନରେ ସୋସୋ ପୋଲିସ ଯାଞ୍ଚ ଏବଂ ଚଢ଼ାଉ ଜୋର୍‌ଦାର କରିଛି।  ବୁଧବାର ରାତିରେ ସୋସୋ ଥାନା ଅଧିକାରୀ ବିଜୟ କୁମାର ବିହାରୀ ଏବଂ ଅନ୍ୟ ପୋଲିସ କର୍ମଚାରୀ ଚଢ଼ାଉ କରି ୫ଟି ଟ୍ରାକ୍ଟର ଜବତ କରିଛନ୍ତି। ସେଥି ମଧ୍ୟରୁ ଚୋରା ମୋରମ ବୋଝେଇ ୩ଟି ଟ୍ରାକ୍ଟର ଅଛି। ମୋରମ ଖୋଳୁଥିବା ଏକ ଜେସିବି ମଧ୍ୟ ଜବତ ହୋଇଛି। ସମ୍ପୃକ୍ତ ଗାଡ଼ି ଚାଳକମାନଙ୍କୁ ଅଟକ ରଖାଯାଇଛି। ଆନନ୍ଦପୁର ଡିଏସ୍‌ପି ପ୍ରଶାନ୍ତ ବେହେରା କହିଛନ୍ତି ଯେ, ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।