ବିଲରେ କାଦୁଅ କରୁଥିବା ବେଳେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

କୋକସରା,୧୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ସୋମବାର କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ ପୋଡ଼ାଗୁଡା ପଞ୍ଚାୟତ ଦାବ୍ରିଗୁଡା ଗ୍ରାମର ଜଣେ ଚାଷିଙ୍କ ବିଲରେ କାଦୁଅ କରୁଥିବା ବେଳେ ଓଳଟି ପଡିଥିଲା। ଟ୍ରାକ୍ଟରରେ ଚାପି ହୋଇ ଡ୍ରାଇଭର ଶିଵ ମାଝୀ(୨୩) ଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ସ୍ଥାନୀୟ ଲୋକମାନେ ଘଟଣା ସମ୍ପର୍କରେ ଆମପାଣି ପୋଲିସକୁ ଖବର ଦେବାପରେ ପୋଲିସ ଏସ.ଆଇ ଗୌରୀ ଯାନୀ, ଏଏସଆଇ ମନୋଜ ନାଏକ ଓ ପୋଲିସ ଟିମ ପହଞ୍ଚିଥିଲେ । ଘଟଣା ସ୍ଥଳରୁ ଶବ ଓ ଟ୍ରାକ୍ଟରକୁ ଜବତ କରି ଘଟଣା ସମ୍ପର୍କରେ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଥିଲେ।

ସୂଚନା ଅନୁସାରେ ଦାବ୍ରିଗୁଡା ଗ୍ରାମର ଟ୍ରାକ୍ଟର ମାଲିକ ଧନବଲ ମାଝୀଙ୍କ ନିକଟରେ ଡ୍ରାଇଭର ଭାବେ ଶିଵ ମାଝୀ କାମ କରୁଥିଲେ। ତେବେ ଆଜି ଟ୍ରାକ୍ଟର ନେଇ କାଦୁଅ କରୁଥିବା ବେଳେ ଏହି ଅଘଟଣରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ଡୁଡୁକାଠେଙ୍ଗା ପଞ୍ଚାୟତ ଧୋବେନଚଞ୍ଚରା ନୂଆପଡ଼ା ଗ୍ରାମର ବୈଦ୍ୟନାଥ ମାଝୀଙ୍କ ଭେଣ୍ଡିଆ ପୁଅ ଶିଵ ମାଝୀ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଛି ଓ ଏନେଇ ଆମପାଣି ପୋଲିସ ଏକ ଦୁର୍ଘଟଣା ଜନିତ ମାମଲା ୫୯/୨୪ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।

Share