ତୁମୁଡ଼ିବନ୍ଧ,୨୭ା୨(ଦୀପକ ପରାସେଠ): ସମସ୍ତ ଶୈବପୀଠରେ ଜାକଜକମରେ ଶିବରାତ୍ରି ପାଳନ ହେଉଥିବାବେଳେ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ପଞ୍ଚାୟତର ଅବସ୍ଥିତ ଶୈବପୀଠରେ ମଧ୍ୟ ପାଳନ ହୋଇଥିଲା ଶିବରାତ୍ରି ଏବଂ ରାତ୍ରିକାଳୀନ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ। ଶିବଙ୍କୁ ଦର୍ଶନ ଏବଂ ରାତିରେ ଯାତ୍ରା ଦେଖା ସରିବା ପରେ ବେଲଘର ପଞ୍ଚାୟତର କୁସୁମୁଣ୍ଡା ଓ ଆଖପାଖ ଗ୍ରାମର ୧୫ରୁ ଊର୍ଦ୍ଧ୍ୱ ଶିଶୁ, ବୃଦ୍ଧାବୃଦ୍ଧ, ମହିଳା ପୁରୁଷ ଏକ ଟ୍ରାକ୍ଟରେ ଜାଗର ଯାତ୍ରା ଦେଖି ଯାଇଥିଲେ। ଫେରିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ମୃତକ ହେଲେ କରୁଣା ବିନ୍ଧାଣି (୩୨) ଶିକାକି ଗ୍ରାମର ବୋଲି ଜଣାପଡ଼ିଛି। ବର୍ତ୍ତମାନ ସମସ୍ତ ଆହତଙ୍କୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ଜାରି ରହିଛି।
ଖବର ପାଇ ଘଟଣାସ୍ଥଳରେ ବେଲଘର ଗ୍ରାମବାସୀ ଏବଂ ବେଲଘର ପୋଲିସ ପହଞ୍ଚି ଟ୍ରାକ୍ଟର ଏବଂ ମୃତଦେହକୁ ଜବତ କରିବା ସହ ଆହତଙ୍କୁ ବେଲଘର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ତୁମୁଡିବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଚିକିତ୍ସା ଚାଲୁରହିଛି। ଏଭଳି ଟ୍ରାକ୍ଟରରେ ବିପସଙ୍କୁଳ ଭାବେ ଯିବା ଆସିବା କରିବା ସମୟରେ ପୋଲିସ କାହିଁକି ବାରଣ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଆଞ୍ଚଳବାସୀ।
ପ୍ରକାଶ ଥାଉକି, ଗତ ବର୍ଷ ଏହିଭଳି ଯାତ୍ରା ଦେଖି ଫେରୁଥିବା ସମୟରେ ମଧ୍ୟ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଏକାଧିକ ଆହତ ହୋଇଥିଲେ।