କଶ୍ମୀର ପ୍ରସଙ୍ଗ ସମାଧାନ ନ ହେଲେ ଭାରତ ସହ ବାଣିଜ୍ୟ ସମ୍ଭବ ନୁହେଁ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ୍‌,୫।୯: କଶ୍ମୀର ପ୍ରସଙ୍ଗ ସମାଧାନ ନ ହେଲେ ଭାରତ ସହ ବାଣିଜ୍ୟ ସମ୍ଭବ ନୁହେଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଅନୱର ଉଲ ହକ କାକର କହିଛନ୍ତି। ଏକ ଟିଭି ଚ୍ୟାନେଲକୁ ଦିଆଯାଇଥିବା ସାକ୍ଷାତକାରରେ ସେ ଏହା କହିଛନ୍ତି। ଭାରତ ସହ ସମ୍ପର୍କ ସୁଦୃଢ କରିବାକୁ ତାଙ୍କର ଇଚ୍ଛା ପ୍ରକାଶ କରି ସେ କହିଛନ୍ତି ଯେ, ଆମେ ଯୁଦ୍ଧ ଚାହୁଁ ନାହୁଁ। ବିବାଦୀୟ ସମସ୍ୟାର ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ଚାହୁଁ।
କାକର କହିଛନ୍ତି, ଭାରତ ବୃହତ୍ତମ ଗଣତନ୍ତ୍ରରୁ ସର୍ବଶ୍ରେଷ୍ଠ ଗଣତନ୍ତ୍ରରେ ପରିଣତ ହେବା ଉଚିତ୍‌। ଯଦି କଶ୍ମୀର ପ୍ରସଙ୍ଗରେ ଭାରତ ଗଣତାନ୍ତ୍ରିକ ଭାବେ କାର୍ଯ୍ୟ କରେ, ତେବେ ପାକିସ୍ତାନ ‘ସାଥୀ’ ଭୂମିକା ଗ୍ରହଣ କରିବ। ସାମ୍ପ୍ରତିକ ପରିସ୍ଥିତିରେ ଦୁଇ ପଡୋଶୀ ଦେଶ ମଧ୍ୟରେ ବାଣିଜ୍ୟ ପୁନଃସ୍ଥାପିତ ହୋଇପାରିବ ନାହିଁ। କଶ୍ମୀର ହେଉଛି ମୂଳ ପ୍ରସଙ୍ଗ, କିନ୍ତୁ ଯେତେବେଳେ ଆମେ କହିଥାଉ ଯେ କଶ୍ମୀର ହେଉଛି ମୂଳ ପ୍ରସଙ୍ଗ, ଏହାର ଅର୍ଥ ନୁହେଁ ଯେ ଆମେ ସବୁବେଳେ ଭାରତ ସହ ଲଢେଇ ଜାରି ରଖିବାକୁ ଚାହୁଁ।
ଅଗଷ୍ଟ ୫, ୨୦୧୯ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ଭାରତ ଏବଂ ପାକସ୍ତାନ ମଧ୍ୟରେ ବାଣିଜ୍ୟ କାରବାର ବନ୍ଦ ରହିଛି।

Share