ବନବାସୀଙ୍କୁ ଶୋଷଣ କରୁଛନ୍ତି ବେପାରୀ, ସମାଧାନ କରିବାକୁ ଦାବି

କେନ୍ଦୁଝର,୨୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରଶାସନିକ ଅବହେଳା କାରଣରୁ କେନ୍ଦୁଝର ଜିଲାର ବନବାସୀମାନେ ବେପାରୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଦୁର୍ଗମ ଅଞ୍ଚଳରୁ ସହରକୁ ବନଜାତ ଦ୍ରବ୍ୟ ବିକ୍ରି କରିବାକୁ ଆସୁଥିବା ବନବାସୀଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ସେମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି।
ଆଦିବାସୀ ଅଧ୍ୟୁଷିତ ବାଂଶପାଳ ବ୍ଲକର ବଣପାହାଡ଼ ଘେରା ତଥା ଦୁର୍ଗମ ଅଞ୍ଚଳରୁ ଅନେକ ବନବାସୀ ସେମାନଙ୍କ ଉପତ୍ାଦିତ ବା ସଂଗୃହିତ ବନଜାତ ଦ୍ରବ୍ୟ ଯଥା ଦାନ୍ତକାଠି, ପତ୍ର, ଫଳମୂଳ, ପନିପରିବା, ଔଷଧୀୟ ଜଡିବୁଟି ଆଦି ଆଣି କେନ୍ଦୁଝର ସହରର ବିଭିନ୍ନ ସ୍ଥାନରେ ବସି ବିକ୍ରି କରିଥାନ୍ତି।

ବିକ୍ରିବଟା କରିବା ପରେ ପଇସା ସହିତ ତେଲ ଲୁଣ, ଲୁଗାପଟା ଆଦି ସାମଗ୍ରୀ କିଣି ଘରକୁ ଫେରନ୍ତି। କେହି କେହି ସପ୍ତାହରେ ରବିବାର ଅର୍ଥାତ ସାପ୍ତାହିକ ହାଟ ଦିନରେ ଆସିଥାନ୍ତି ତ କେହି ୨/୩ ଦିନରେ ଥରେ ଆସିଥାନ୍ତି। କେହି ଏକୁଟିଆ ଆସିଥାନ୍ତି ତ କେହି ଦଳ ଦଳ ହୋଇ ଆସିଥାନ୍ତି। ଏଭଳି ସବୁଦିନିଆ ଘଟଣା ଦେଖିବାକୁ ମିଳିଥାଏ। ଏହି ବନବାସୀମାନେ ବିଶେଷ କରି ବସ୍‌, ଜିପ୍‌ ତଥା ଅଟୋରେ ଭଡ଼ା ଦେଇ ଆସିଥାନ୍ତି। ପାହାଡ଼ିଆ ସାମଗ୍ରୀ ପ୍ରାକୃତିକ ପରିବେଶରେ ହେଉଥିବାରୁ ଏବଂ ବିନା ସାରରେ ହେଉଥିବାରୁ ଏହାର ଚାହିଦା ଅଧିକ ଥାଏ। ସକାଳ ହେଲେ ଅନେକ ଲୋକ ଅପେକ୍ଷା କରିଥାନ୍ତି ଏହି ବନଜାତ ଦ୍ରବ୍ୟ କିଣି ଘରକୁ ନେଇଥାନ୍ତି। କିନ୍ତୁ ଅନେକ ସମୟରେ ବନବାସୀମାନେ ବେପାରୀଙ୍କ ଦ୍ୱାରା ଠକାମିର ଶୀକାର ହୋଇଥାନ୍ତି।

ଖାଉଟିମାନେ ମଧ୍ୟ ସେହି ସାମଗ୍ରୀକୁ ବେପାରୀଙ୍କଠାରୁ ଅଧିକ ଦାମ୍‌ରେ କିଣି କ୍ଷତିଗ୍ରସ୍ତ ହୋଇଥାନ୍ତି। ଏଣୁ ଅନେକ ସମୟରେ ବନବାସୀ-ବେପାରୀ ଏବଂ ଖାଉଟି-ବେପାରୀଙ୍କ ମଧ୍ୟରେ ବିବାଦ ଉପୁଜିଥାଏ। ଆଦିବାସୀଙ୍କୁ ବେପାରୀଙ୍କ ଶୋଷଣରୁ ମୁକ୍ତ କରିବା ପାଇଁ ପ୍ରଶାସନ କାୈଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଏହା ବୃଦ୍ଧି ପାଇବାରେ ଲାଗୁଛି। ଏଣୁ ଏହାକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ପ୍ରଶାସନଠାରେ ଦାବି କରିଛନ୍ତି। ବନବାସୀମାନେ ସହରରେ ବସି ସାମଗ୍ରୀ ବିକ୍ରି କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା, ବିଶ୍ରାମ ଓ ପାନୀୟ ଜଳ ସୁବିଧା କରିବା, ସେମାନେ ସାଙ୍ଗରେ ଧରି ଆସୁଥିବା ଛୋଟ ଛୋଟ ପିଲାଙ୍କ ପାଇଁ କ୍ରେଚ ବ୍ୟବସ୍ଥା କରାଯାଇପାରିଲେ ସେମାନେ ଉପକୃତ ହେବା ସହ ଶୋଷଣରୁ ମୁକ୍ତ ହୋଇ ପାରିବେ ବୋଲି ଶୁଆକାଟି ପାଟେଶ୍ୱର +୨ କଲେଜର ଅଧ୍ୟକ୍ଷ ରାମାକାନ୍ତ ସ୍ବାଇଁ କହିଛନ୍ତି।

Share