ପାରାଦୀପ,୧୬।୧୨(ସ୍ବ.ପ୍ର.): ପାରାଦୀପ ବନ୍ଦର ଆଉ ଏକ ରେକର୍ଡ କରିଛି। ଦିନକରେ ଅର୍ଥାତ୍ ୨୪ ଘଣ୍ଟାରେ ୬,୪୯,୭୩୦ ମେଟ୍ରିକ ଟନ ପଣ୍ୟ କାରବାର ହୋଇଛି ବୋଲି ବନ୍ଦର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବୁଧବାର ଏହି ସଫଳତା ମିଳିଛି। ଏହାପୂର୍ବରୁ ୨୦୧୮ ଅକ୍ଟୋବର ୧୪ରେ ଗୋଟିଏ ଦିନରେ ୬,୩୯,୩୬୯ ମେଟ୍ରିକ ଟନ ପଣ୍ୟ କାରବାର ରେକର୍ଡ କରାଯାଇଥିଲା। ସେତେବେଳେ ସମ୍ଭାବ୍ୟ ବାତ୍ୟା ପାଇଁ ୨ ଦିନ ପୋର୍ଟ ଅପରେଶନ ବନ୍ଦ ଥିଲା। ବାତ୍ୟା ବିପଦ ଟଳିବା ପରେ ଆଙ୍କରେଜରେ ଥିବା ଜାହାଜଗୁଡିକୁ ପ୍ରବେଶ କରାଯାଇ ପଣ୍ୟ ବୋଝେଇ ଖଲାସ କରାଯାଇଥିଲା। ଏବେ ସେପରି କୌଣସି ଘଟଣା ନ ଥାଇ ଏପରି ସଫଳତା ହାସଲ କରିଛି। ସେହିପରି ଆଉ ଏକ ଘଟଣା ହେଲା ବୁଧବାର କେଆଇସିଟି ବର୍ଥରେ ୧,୪୬,୫୫୪ ମେଟ୍ରିକ ଟନ ବୋଝେଇ ବିଶିଷ୍ଟ ଏମ୍.ଭି.ଗୋଲ୍ଡେନ ବର୍ଣ୍ଣେଟ ନାମକ ଜାହାଜ ଲାଗିଥିଲା। ଏ ପର୍ଯ୍ୟନ୍ତ ଲାଗିଥିବା ଜାହାଜ ମଧ୍ୟରେ ଏହା ବୃହତ୍ ବୋଲି କୁହାଯାଇଛି। ଚଳିତ ଆର୍ଥିକ ବର୍ଷ (୩୧ ମାର୍ଚ୍ଚ) ପୂର୍ବରୁ ୧୨୫ ମିଲିୟନ ମେଟ୍ରିକ୍ ଟନ ପଣ୍ୟ କାରବାର ହୋଇ ସାରିଛି ବୋଲି ବନ୍ଦର ପ୍ରଶାସନ ପକ୍ଷରୁ କୁହାଯାଇଛି।