Advertisement

ପାରମ୍ପରିକ ଫୁଲଝାଡୁ ଚାଷ ଦେଇଛି ରୋଜଗାର

ଦାରିଙ୍ଗବାଡ଼ି,୫ା୩(ଡି.ଏନ୍‌.ଏ.): ସବୁ ଘରେ ରାତି ପାହିଲେ ଖୋଜା ପଡ଼େ ଝାଡୁ। ଝାଡୁର ଆବଶ୍ୟକତା ସମସ୍ତଙ୍କ ନିକଟରେ ଥାଏ। ହେଲେ ପ୍ଲାଷ୍ଟିକ ଯୁଗରେ ଏବେବି ଫୁଲଝାଡୁର ଚାହିଦା ରହିଛି। ସେହିପରି ରାଜ୍ୟରେ ବିଭିନ୍ନ ଜିଲାରେ ବିଭିନ୍ନ ପ୍ରକାର ଝାଡୁ ତଥା ତାଳ ପତ୍ର ସମେତ ଖଜୁରୀ ଝାଡୁ, ନଡ଼ିଆ ଗଛରୁ ବି ଝାଡୁ ପ୍ରସ୍ତୁତ ହୁଏ। ଘର ସଫେଇ ପାଇଁ ଫୁଲ ଝାଡୁର ଚାହିଦା ଅଧିକ ରହିଛି। ପୂର୍ବରୁ କନ୍ଧମାଳ ଜିଲାରେ ଥିବା ଜଙ୍ଗଲ ଓ ପାହାଡ଼ ଉପରେ ଆପେ ଆପେ ଫୁଲ ଝାଡୁ ହୋଇଥାଏ। ସେହି ସମୟରେ ଏହାର ଦର ଠିକ୍‌ ଥିବା ବେଳେ ଏବେ ଅଞ୍ଚଳରେ ସରକାରଙ୍କ ଏକାଧିକ ବିଭାଗ ଦ୍ୱାରା ଏହି ଚାଷ ପାଇଁ ପଦକ୍ଷେପ ନିଆଯାଇ ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ ସହାୟତା ଯୋଗାଇ ଦିଆଯାଇଛି ଏବଂ ତା’ର ରକ୍ଷଣାବେକ୍ଷଣ ପାଇଁ ୫ ବର୍ଷ ଧରି ସରକାର ସହାୟତା କରିଥିଲେ। ଏବେ ଏହି ଚାଷ ଜିଲାରେ ବହୁଳ ମାତ୍ରାରେ ହେଉଥିବା ବେଳେ ଫୁଲଝାଡୁର କୌଣସି ଦର ଧାର୍ଯ୍ୟ କରାଯାଉନି କି ଏହାର ବିକ୍ରିବଟା ବ୍ୟବସ୍ଥା କରାଯାଉନି। ଫଳରେ ଫୁଲଝାଡୁ ଚାଷୀ ନିରାଶ ହେବା ସହ କିଛି ଚାଷୀ ଏହି ଚାଷର ବୃଦ୍ଧି କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଫୁଲଝାଡୁକୁ ଦଲାଲମାନେ ଶସ୍ତାରେ ଚାଷୀଙ୍କଠାରୁ ନେଇ ବାହାର ରାଜ୍ୟକୁ ପଠାଇ ବହୁ ଦାମରେ ଏହାକୁ ପ୍ରସ୍ତୁତ କରି ବିକ୍ରିକରି ଲାଭବାନ ହେଉଛନ୍ତି ବୋଲି ଚାଷୀ ଅଭିଯୋଗ କରୁଛନ୍ତି। ପ୍ରକାଶ ଯେ, ଏହି ଫୁଲ ଝାଡୁ ଚାଷରେ ଛୋଟ ଛୋଟ ଚାଷ କରି ବର୍ଷକରେ ୨ ମାସ ଚାଷୀ ପରିଶ୍ରମ କରି ଅତି କମ୍‌ରେ ୫ ରୁ ୧୦ ହଜାର ପର୍ଯ୍ୟନ୍ତ ରୋଜଗାର କରୁଥିବା ବେଳେ କିଛି ଚାଷୀ ଲକ୍ଷାଧିକ ରୋଜଗାର କରିବା ନଜିର ରହିଛି। ଏନେଇ ବାଡ଼ାବାଙ୍ଗା ପଞ୍ଚାୟତ ସିକକେତା ଗ୍ରାମର ଚାଷୀ ପ୍ରତ୍ୟୁଷ ପ୍ରଧାନ କୁହନ୍ତି, ସରକାରଙ୍କ ପକ୍ଷରୁ ୩ ଏକର ଜମିରେ ଏହି ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ। ହେଲେ ଏହାର ଅଭାବି ବିକ୍ରି ଓ ଦର ଧାର୍ଯ୍ୟ ନ ଥିବାରୁ ସେ କ୍ଷତି ସହୁଛନ୍ତି। ତେଣୁ ସରକାର ଏହାର ଦର ଧାର୍ଯ୍ୟ କରିବା ସହ ମଣ୍ଡି ଖୋଲିବାକୁ ନିବେଦନ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share