ଟ୍ରାଫିକ୍‌ ନିୟନ୍ତ୍ରଣ, ରାସ୍ତା ନିର୍ମାଣ ହେଲା

ଆଠମଲ୍ଲିକ, ୧୪।୯(ଡି.ଏନ.ଏ.): ଆଠମଲ୍ଲିକ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର ଉଭୟ ପାର୍ଶ୍ୱରେ ଥିବା ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମ୍ମୁଖରେ ହୋଇଛି ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା। ଫଳରେ ବ୍ୟସ୍ତବହୁଳ ଏହି ରାସ୍ତା ପାର ହୋଇ ସ୍କୁଲକୁ ଯିବା ଓ ଫେରିବା ବେଳେ ଛାତ୍ରୀଛାତ୍ରମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ହୋଇପାରିଛି। ସମସ୍ୟା ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବାରୁ ଏଥିପାଇଁ ‘ଧରିତ୍ରୀ’ ଓ ଆଠମଲ୍ଲିକ ଥାନା ଆଇଆଇସି ନିରୋଦ କୁମାର ଦାସଙ୍କୁ ଅଭିଭାବକ ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଧନ୍ୟବାଦ ଦିଆଯାଇଛି। ସେହିପରି ଆଠମଲ୍ଲିକ-ଧଳପୁର ସେତୁର ଆଠମଲ୍ଲିକ ପାର୍ଶ୍ୱ ସଂଯୋଗୀକରଣ ରାସ୍ତାର ଲିପ୍ତିଙ୍ଗା ଗ୍ରାମ ନିକଟରେ ବାକି ରହିଯାଇଥିବା ୬୦ ମିଟର ରାସ୍ତା ନିର୍ମାଣ ହୋଇପାରି ନ ଥିବା ସମ୍ପର୍କରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ପ୍ରଶାସନ ପକ୍ଷରୁ ତାହାର ସମାଧାନ କରାଯାଇଛି। ଏଥିପାଇଁ ଅଞ୍ଚଳବାସୀ ‘ଧରିତ୍ରୀ’କୁ ଧନ୍ୟବାଦ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଆଠମଲ୍ଲିକ ସହର ଦେଇ ଯାଇଥିବା ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର ବସ୍‌ଷ୍ଟାଣ୍ଡ ନିକଟରେ ରହିଛି ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର। ରାଜପଥର ଉଭୟ ପାର୍ଶ୍ୱରେ ଥିବା ଏହି ଶିକ୍ଷାନୁଷ୍ଠାନରେ ୧୦୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। କିନ୍ତୁ ସ୍କୁଲ ସମ୍ମୁଖରେ ଯାଇଥିବା ରାଜପଥ ଯୋଗୁ ସ୍କୁଲରେ ପ୍ରବେଶ ଓ ପ୍ରସ୍ଥାନ ବେଳେ ପିଲାମାନେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏ ନେଇ ଜୁଲାଇ ୧୭ ତାରିଖରେ ‘ବିଦ୍ୟାଳୟ ସମ୍ମୁଖ ହେଉ ବିପଦ ମୁକ୍ତ’ ଶୀର୍ଷକ ଖବର ‘ଧରିତ୍ରୀ‘ରେ ପ୍ରକାଶ ପାଇଥିଲା। ସ୍କୁଲ ସମ୍ମୁଖରେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ପାଇଁ ଆଇଆଇସି ଦାସ ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ ସ୍କୁଲ ସମ୍ମୁଖରେ ଥାନା ପକ୍ଷରୁ ଜଣେ ଗୃହରକ୍ଷୀଙ୍କୁ ନିୟୋଜିତ ସହ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ସ୍ପିଡ୍‌ ବ୍ରେକର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରୁଦ୍ର ମୋହନ ହୋତା, ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଧାଂଶୁ ପ୍ରଧାନ ‘ଧରିତ୍ରୀ’ ଓ ଆଇଆଇସି ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ମହାନଦୀ ଉପରେ ଆଠମଲ୍ଲିକ-ଧଳପୁର ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ସଂଯୋଗୀକରଣ ରାସ୍ତାର ଲିପ୍ତିଙ୍ଗା ଗ୍ରାମ ନିକଟରେ ଗୋଲେଇ ଛକ ନିର୍ମାଣ ଦାବି ଯୋଗୁ ୬୦ମିଟର ରାସ୍ତା ନିର୍ମାଣ ହୋଇପାରି ନ ଥିଲା। ଜୁନ ୧୮ରେ ‘ଶୀଘ୍ର ବାହାରୁ ସମାଧାନ ସୂତ୍ର’ ଶୀର୍ଷକ ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ରାସ୍ତା ନିର୍ମାଣ କରାଯାଇଛି। ଏଥିପାଇଁ ଅଞ୍ଚଳବାସୀ ‘ଧରିତ୍ରୀ’କୁ କୃତଜ୍ଞତା ଜଣାଇଛନ୍ତି।