Advertisement

ଦାରିଙ୍ଗବାଡ଼ିରେ ଟ୍ରାଫିକ୍‌ ଜାମ: ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ନାକେଦମ୍‌

ଦାରିଙ୍ଗବାଡି,୩୦।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ଗୋଟିଏ ପଟେ ଶୀତର ମଜା ନେବାକୁ ଦୈନିକ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡିରେ ରାତ୍ରି ଯାପନ କରୁଥିବା ବେଳେ ବଣଭୋଜି ପାଇଁ ଭିଡ଼ ଜମାଇଛନ୍ତି। ଫଳରେ ଏଠାରେ ଟ୍ରାଫିକ ସମସ୍ୟା ଦେଖାଦେଇଛି। ବିଶେଷ କରି ଦାରିଙ୍ଗବାଡିରୁ ବାମୁଣୀ ଗାଁ ରାସ୍ତା ମଧ୍ୟରେ ଥିବା କଫି ବଗିଚା ସମେତ ପାଇନ ବଣ ମଧ୍ୟରେ ପ୍ରବଳ ଭିଡ଼ ଯୋଗୁ ସାଧାରଣ ଲୋକଙ୍କ ଯାତାୟାତରେ ସମସ୍ୟା ଦେଖାଯାଇଛି।

ଏପରି କି କଫି ବଗିଚା ସମ୍ମୁଖରେ ଉଠାଦୋକାନୀ ପସରା ମେଳାଇଛନ୍ତି। ଫଳରେ ପର୍ଯ୍ୟଟକମାନେ ଆବଶ୍ୟକ କନ୍ଧମାଳ ହଳଦୀ ସମେତ କଫି, ମସଲା, ସୋରିଷ ଆଦି ପାରମ୍ପରିକ ସାମଗ୍ରୀ କିଣିବାକୁ ଭିଡ଼ ଜମାଉଛନ୍ତି। ଫଳରେ ସମ୍ପୃକ୍ତ ଅଞ୍ଚଳରେ ଟ୍ରାଫିକ ସମସ୍ୟା ଦ୍ବିଗୁଣିତ ହେଉଛି। ସେହିପରି ଦାରିଙ୍ଗବାଡି ବଜାର ହୋଟେଲ ସମ୍ମୁଖରେ ପର୍ଯ୍ୟଟକମାନେ ଗାଡି ପାର୍କିଂ କରି ଖାଇବା ପାଇଁ ଅଟକୁ ଥିବାରୁ ବଜାର ମଧ୍ୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଦାରିଙ୍ଗବାଡି ପୋଲିସ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ପାଟ୍ରୋଲିଂ ବ୍ୟବସ୍ଥାକୁ ବଢାଇ ଥିବା ବେଳେ ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ପୋଲିସ, ଆଇଆର୍‌ବି ଯବାନଙ୍କୁ ନିୟୋଜିତ କରାଯାଇଛି। ତଥାପି ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସକୁ ନାକେଦମ୍‌ ହେବାକୁ ପଡୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share