ନୂଆଦିଲ୍ଲୀ,୯।୯: ଜି୨୦ ସମିଟ୍ ପାଇଁ ନୂଆଦିଲ୍ଲୀ ଜିଲାରେ ଶୁକ୍ରବାର ସକାଳେ ଟ୍ରାଫିକ୍ କଟକଣା କଡ଼ାକଡ଼ି ହୋଇଛି। ଜି୨୦ ସମ୍ମିଳନୀ ହେବାକୁ ଥିବା ସ୍ଥାନ ଓ ଅତିଥିମାନେ ରହିବାକୁ ଥିବା ହୋଟେଲ୍ ଅଞ୍ଚଳରେ ଔଷଧକୁ ବାଦ୍ଦେଲେ ଅନ୍ୟ ସମସ୍ତ ଅନ୍ଲାଇନ୍ ଡେଲିଭରି ସେବାକୁ ବନ୍ଦ କରିଦିଆଯାଇଛି। ଶୁକ୍ରବାର ସକାଳ ୫ଟାରୁ ରବିବାର ରାତି ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଜିଲାକୁ ନିୟନ୍ତ୍ରିତ ଜୋନ୍-୧ ଘୋଷଣା କରାଯାଇଛି। ଇଣ୍ଡିଆ ଗେଟ୍ ଏବଂ କର୍ତ୍ତବ୍ୟ ପଥକୁ ଭ୍ରମଣ, ସାଇକ୍ଲିଂ କିମ୍ବା ପିକ୍ନିକ୍ ପାଇଁ ନ ଯିବାକୁ ଜନସାଧାରଣଙ୍କୁ ପୋଲିସ ନିବେଦନ କରିଛି।
ନୂଆଦିଲ୍ଲୀ ଜିଲାରେ ଗାଡ଼ିମୋଟର ଚଳାଚଳ ଉପରେ କଟକଣା ଜାରି ହୋଇଥିବାବେଳେ ଆମ୍ବୁଲାନ୍ସ ଏବଂ ଉକ୍ତ ଅଞ୍ଚଳରେ ରହୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ଉପଯୁକ୍ତ ପରିଚୟପତ୍ର ଦେଖାଇ ଯା’ଆସ କରିପାରିବେ ବୋଲି ପୋଲିସ କହିଛି। ଦିଲ୍ଲୀ ପୋଲିସର ଅନୁରୋଧକ୍ରମେ ୮, ୯ ଏବଂ ୧୦ ତାରିଖରେ ଦିଲ୍ଲୀ ମେଟ୍ରୋ ଏହାର ସମସ୍ତ ଲାଇନ୍ରେ ସେବା ଭୋର ୪ଟାରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ସମିଟ୍ ଅବସରରେ ୫୦ ହଜାରରୁ ଊର୍ଦ୍ଧ୍ୱ ସୁରକ୍ଷା କର୍ମଚାରୀ ସହ ଡଗ୍ ସ୍କ୍ବାଡ୍, ସଶସ୍ତ୍ର ପୋଲିସ କଡ଼ା ନଜର ରଖିବେ। ମାଲ୍ଗାଡ଼ି, ବସ୍, ଅଟୋରିକ୍ସା ଏବଂ ଟ୍ୟାକ୍ସି ଯାତାୟାତ ଉପରେ କଟକଣା ଲଗାଯାଇଥିବାବେଳେ ଲୋକମାନଙ୍କୁ ମେଟ୍ରୋ ସେବାର ସୁଯୋଗ ନେବା ଲାଗି କୁହାଯାଇଛି। କଟକଣା ଜାରି ରହିଥିବା ଯାଏ ଲୋକଙ୍କୁ ନାଭିଗେଶନ ଆପ୍ ‘ମ୍ୟାପ୍ ମାଇଁ ଇଣ୍ଡିଆ’ର ସହାୟତା ନେବାକୁ ପରାମର୍ଶ ଦିଆଯାଇଛି। ମହାତ୍ମା ଗାନ୍ଧୀ ମାର୍ଗର ସମୁଦାୟ ରିଙ୍ଗ୍ ରୋଡ୍ ଅଞ୍ଚଳ ରେଗୁଲେଟେଡ୍ ଜୋନ୍ ଘୋଷିତ ହୋଇଛି। ଅର୍ଥାତ୍ କେବଳ ବାସ୍ତବିକ ନିବାସୀ, ପ୍ରାଧିକୃତ ଯାନ, ଜରୁରୀ ଯାନ ଏବଂ ବିମାନବନ୍ଦର, ପୁରୁଣା ଦିଲ୍ଲୀ ନୂଆଦିଲ୍ଲୀ ରେଳଷ୍ଟେଶନକୁ ଯାଉଥିବା ଯାନଗୁଡ଼ିକୁ ରିଙ୍ଗ୍ ରୋଡ୍ରୁ ନୂଆଦିଲ୍ଲୀ ଜିଲା ମଧ୍ୟରେ ଯିବାଆସିବା ଲାଗି ଅନୁମତି ମିଳିବ। ରବିବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ୧୬ଟି ରାସ୍ତା ଓ ଛକକୁ ନିୟନ୍ତ୍ରିତ ଜୋନ୍-୨ରେ ରଖାଯାଇଛି। ସେଥିରେ ଡବ୍ଲ୍ୟୁ-ପଏଣ୍ଟ, ଏ-ପଏଣ୍ଟ, ଡିଡିୟୁ ମାର୍ଗ, ବିକାଶ ମାର୍ଗ, ବାହାଦୁର ଶାହ ଜାଫର ମାର୍ଗ ଏବଂ ଦିଲ୍ଲୀ ଗେଟ୍ ରହିଛି। ରେଗୁଲେଟେଡ୍ ଏବଂ କଣ୍ଟ୍ରୋଲ୍ଡ୍ ଜୋନରେ ଯାତାୟାତ ନ କରିବାକୁ ପୋଲିସ ଜନସାଧାରଣଙ୍କୁ ଅନୁରୋଧ କରିଛି। ଏହା ପରିବର୍ତ୍ତେ ବିକଳ୍ପ ରାସ୍ତାର ଏକ ତାଲିକା ପୋଲିସ ଜାରି କରିଛି।