Categories: ଜାତୀୟ

ସତ୍ୟମଙ୍ଗଲମ୍‌ ଟାଇଗର ରିଜର୍ଭ ରାସ୍ତାରେ ସନ୍ଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଚେନ୍ନାଇ, ୮।୨ : ତାମିଲନାଡୁର ସତ୍ୟମଙ୍ଗଲମ୍‌ ଟାଇଗର ରିଜର୍ଭ ଅଞ୍ଚଳରେ ସନ୍ଧ୍ୟା ୬ଟା ଠାରୁ ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ କମର୍ସିଆଲ ଯାନବାହନ ଚଳାଚଳକୁ ବାରଣ କରାଯାଇଛି। ସେହିପରି ଘରୋଇ ଯାନ ଚଳାଚଳକୁ ଏହି ଅଞ୍ଚଳରେ ରାତି ୯ଟାଠାରୁ ସକାଳ ୬ ଟା ପର୍ଯ୍ୟନ୍ତ ନିଷେଧ କରାଯାଇଛି। ଇରୋଡ ଜିଲାପାଳଙ୍କ ଏସମ୍ପର୍କି ନିର୍ଦ୍ଦେଶକୁ ଫେବୃୟାରୀ ୧୦ଠାରୁ ପାଳନ କରିବାକୁ ମାଡ୍ରାସ୍‌ ହାଇକୋର୍ଟ କହିଛନ୍ତି।

ବନ୍ନାରି ଏବଂ କାରାପାଲ୍ଲାମ୍‌ ମଧ୍ୟରେ ଥିବା ଜାତୀୟ ରାଜପଥ ଏହି ସମୟରେ ବନ୍ଦ ରଖାଯିବାକୁ ହାଇକୋର୍ଟ କହିଛନ୍ତି।

ରାତିରେ ଏହି ରାସ୍ତାଦେଇ ଯାନବାହନ ଚଳାଚଳ କରୁଥିବାରୁ ଦୁର୍ଘଟଣାରେ ଗତ ୩ ବର୍ଷ ମଧ୍ୟରେ ୧୫୫ ବନ୍ୟପ୍ରାଣୀଙ୍କ ମୃତ୍ୟୁ ଘଟିଥିବା ଆବେଦନକାରୀ ଏସ୍‌.ପି.ଚୋକାଲିଙ୍ଗମ୍‌ଙ୍କ ପକ୍ଷରୁ ଏକ କରାଯାଇଥିବା ପିଟିଶନ୍‌ରେ ଉଲ୍ଲେଖ କରାଯାଇଥିଲା। ଇରୋଡ ଜିଲାପାଳ ଏନେଇ ୨୦୧୯ ଜାନୁୟାରୀ ୭ରେ ଏକ ନିର୍ଦ୍ଦେଶ ଜାରି କରିଥିଲେ ମଧ୍ୟ ଏହାର ପାଳନ ହେଉ ନ ଥିବା ଆବେଦନକାରୀ ଦର୍ଶାଇଥିଲେ।

ଏହାର ବିଚାର କରି କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ମୁନିଶ୍ୱର ନାଥ ଭଣ୍ଡାରୀ ଏବଂ ବିଚାରପତି ଡି. ଭାରତ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଶୀଘ୍ର ଜିଲାପାଳଙ୍କ ନିର୍ଦ୍ଦେଶ ଲାଗୁ କରିବାକୁ କହିଛନ୍ତି।
ଏହାର ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୧୫ରେ ହେବ। ଖଣ୍ଡପୀଠ ନିର୍ଦ୍ଦେଶର ପାଳନ କରାଯାଇଛି କି ନାହିଁ ତାହା ଯାଞ୍ଚ୍‌ କରିବେ।

Share