ସବୁଠି ଟ୍ରାଫିକ୍‌ ସମସ୍ୟା, ବଢୁଛି ଦୁର୍ଘଟଣା

ବରଗଡ଼,୨୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ରେ ଟ୍ରାଫିକ ସମସ୍ୟା ଅନିୟନ୍ତ୍ରିତ ହୋଇ ପଡ଼ିଛି। ସହର ମୁଖ୍ୟରାସ୍ତାଠାରୁ ଆରମ୍ଭ କରି ଜାତୀୟ ରାଜପଥ ଏବଂ ପାର୍ଶ୍ୱବର୍ତ୍ତୀ ରାସ୍ତାଗୁଡ଼ିକରେ ଏହି ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଗୋଟିଏ ପଟେ ରାସ୍ତା ଉପରେ ଗାଡ଼ି, ମୋଟର ପାର୍କିଂ ଏବଂ ଅନ୍ୟପଟେ ବିପଦଶଙ୍କୁଳ ରାସ୍ତା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଫଳରେ ସଡ଼କ ଦୁର୍ଘଟଣା ସହିତ ମୃତାହତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସଡ଼କ ଦୁର୍ଘଟଣାରେ ଲୋକେ ମୃତାହତ ହେବା ପରେ ଆନ୍ଦୋଳନ ତେଜି ଉଠିଲେ ପୋଲିସ ଆନ୍ଦୋଳନସ୍ଥଳକୁ ପହଞ୍ଚତ୍ ଟ୍ରାଫିକ ସମସ୍ୟାର ସମାଧାନ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଟ୍ରାଫିକ ସମସ୍ୟା ଯେଉଁ ତିମିରେକୁ ସେହି ତିମିରେ ରହିଯାଇଛି।
ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟିଠାରୁ ସମ୍ବଲପୁର ଜିଲା ଅଇଁଠାପାଲି ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ଅର୍ଥାତ୍‌ ୪ଲେନ୍‌ ବିଶିଷ୍ଟ ନିର୍ମାଣ ହେବା ପରେ ସଡ଼କ ଦୁର୍ଘଟଣା ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା। ମାତ୍ର ବିଭିନ୍ନ ସ୍ଥାନରେ ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁ ଉକ୍ତ ରାସ୍ତା ମଧ୍ୟ ବିପଦଶଙ୍କୁଳ ହୋଇ ପଡ଼ିଛି। ବରଗଡ଼ ସହର ଉପକଣ୍ଠ ହଲଦୀପାଲି ଛକ, ଘୁଲିପାଲି ଛକ, ବିକାଶ ସ୍କୁଲ ଛକ, ରେଙ୍ଗାଲିକ୍ୟାମ୍ପ ଛକ ସମେତ ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣରେ ତ୍ରୁଟି ରହିଥିବା ଖଡ଼ଗପୁର ଆଇଆଇଟିର ଏକ ବିଶେଷଜ୍ଞ ଦଳ ଅନୁଧ୍ୟାନ କରିଥିଲେ। ତାର ସମାଧାନ ପାଇଁ ରାସ୍ତା ନିର୍ମାଣକାରୀ ସଂସ୍ଥା ଅଶୋକ ବିଲ୍ଡକନ ଏବଂ ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥା(ଏନ୍‌ଏଚ୍‌ଏଆଇ)କୁ ବିହିତ ପରାମର୍ଶ ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ସେ ଦିଗରେ କିଛି ପଦକ୍ଷେପ ନିଆଯାଇ ନ ଥିବା ଯୋଗୁ ସମ୍ପୃକ୍ତ ସ୍ଥାନ ସେଭଳି ବିପଦଶଙ୍କୁଳ ଅବସ୍ଥାରେ ରହି ଦୁର୍ଘଟଣା ପ୍ରବଣ ହୋଇପଡ଼ିଛି। ସେହିପରି ଜାତୀୟ ରାଜପଥ ଉପରେ ଧାଡ଼ିବାନ୍ଧି ଅନେକ ମାଲବାହୀ ଟ୍ରକ, ଯାନବାହାନ ଆଦି ଦୀର୍ଘ ସମୟ ଧରି ରହୁଛି। ହଲଦୀପାଲି ଛକରୁ ସୋହେଲା ରାସ୍ତା, ନାଗେନପାଲି ପଣ୍ୟାଗାର ଆଦି ସ୍ଥାନରେ ସେଭଳି ଗାଡ଼ି ଗୁଡ଼ିକ ଅଟକି ରହୁଛି। ଫଳରେ ତାହା ମଧ୍ୟ ସଡ଼କ ଦୁର୍ଘଟଣାର ଏକ ପ୍ରମୁଖ କାରଣ ସାଜିଛି। ଅନୁରୂପଭାବେ ବରଗଡ଼ରୁ ବରପାଲି ଏବଂ ବରଗଡ଼ରୁ ଭେଡ଼େନ ରାସ୍ତା ମଧ୍ୟ ଅସୁରକ୍ଷିତ ହୋଇ ପଡ଼ିଛି। ସେହିପରି ବରଗଡ଼ ସହର ମୁଖ୍ୟରାସ୍ତା ମଧ୍ୟ ସେଥିରୁ ବାଦ୍‌ ପଡ଼ିନାହିଁ। ରାସ୍ତାପାର୍ଶ୍ୱରେ ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ନାହିଁ। ଏହା ସହିତ ବିଭିନ୍ନ ଦୋକାନ, ବଜାର, ମଲ୍‌ ଗୁଡ଼ିକରେ ପାର୍କିଂ ବ୍ୟବସ୍ଥାର ଅଭାବ ରହିଛି। ଫଳରେ ରାସ୍ତା ଉପରେ ଲୋକେ ଯାନବାହାନ ରଖୁଛନ୍ତି। ରାସ୍ତା ଉପରେ ଗୋରୁ ବିଚରଣ ତଥା ଶୋଇବା ବରଗଡ଼ ସହରରେ ସାଧାରଣ କଥା ପାଲଟିଛି। ସେଥିପାଇଁ ସହରରେ ଟ୍ରାଫିକ ସମସ୍ୟା ପରିଲକ୍ଷିତ ହେଉଛି। ଅନ୍ୟପଟେ ରାସ୍ତା ଜବରଦଖଲ ମଧ୍ୟ ଟ୍ରାଫିକ ସମସ୍ୟାର ପ୍ରମୁଖ କାରଣ ପାଲଟିଛି।
ଏଭଳି ଟ୍ରାଫିକ ସମସ୍ୟା ଯୋଗୁ ଏଠାରେ ସଡ଼କ ଦୁର୍ଘଟଣା ନିତିଦିନିଆଁ ଘଟଣାରେ ପରିଣତ ହୋଇଛି। ଗତ ଜୁଲାଇ ୪ରେ ବରଗଡ଼-ଭେଡ଼େନ ରାସ୍ତାର ସହରାପାଲି, ଜୁଲାଇ ୧୧ରେ ବରଗଡ଼ ହଲଦୀପାଲି ଛକ, ଜୁଲାଇ ୧୨ରେ ବରଗଡ଼-ସୋହେଲା ରାସ୍ତାର ଟେଙ୍ଗନାନାଲି, ଜୁଲାଇ ୧୯ରେ ସୟାଁ ଛକ, ଜୁଲାଇ ୨୪ରେ ବରଗଡ଼ ଜୀରାବ୍ରିଜ ନିକଟ ସାଇ ମନ୍ଦିର ପାଖରେ ଏଭଳି ସଡ଼କ ଦୁର୍ଘଟଣା ଘଟି ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଅଗଷ୍ଟ ୯ତାରିଖ ବରଗଡ଼-ବରପାଲି ରାସ୍ତାର କୁଶନପୁରୀ ନିକଟରେ ବସ ଦୁର୍ଘଟଣାରେ ୧୯ଯାତ୍ରୀ ଏବଂ ଅଗଷ୍ଟ ୧୦ତାରିଖ ବରଗଡ଼ ବୀରଛକ ନିକଟରେ ଟ୍ରକ ଓ ବୋଲେରୋ ମଧ୍ୟରେ ଧକ୍କା ହେବା ଯୋଗୁ ୩ଜଣ ଗୁରୁତର ଆହତ ହୋଇଥିଲେ। ଅନିୟନ୍ତ୍ରିତ ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ସମସ୍ୟା, ବିପଦଶଙ୍କୁଳ ରାସ୍ତା ଏବଂ ଡ୍ରାଇଭରମାନଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ସଡ଼କ ଦୁର୍ଘଟଣାରେ ଲୋକେ ମୃତାହତ ହେଉଥିବା ଯୋଗୁ ଏଥିପ୍ରତି ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।