Categories: ଜାତୀୟ

ଚାଲାଣ କାଟିଲାବେଳେ ‘ସାର୍‌, ମ୍ୟାଡାମ୍‌’ ସମ୍ବୋଧନ କରିବେ ଟ୍ରାଫିକ କର୍ମଚାରୀ

ମୁମ୍ବାଇ, ୧୪।୧୦: କେବେ ଅଟକି ଯାଉ ନ ଥିବା କିମ୍ବା କେତେବେଳେ ମଧ୍ୟ ଥକି ପଡ଼ୁ ନ ଥିବା ମୁମ୍ବାଇ ରାସ୍ତାକୁ ଓହ୍ଲାଇ ଟ୍ରାଫିକର ଦାୟିତ୍ୱ ଭାର ସମ୍ଭାଳୁଥିବା ମୁମ୍ବାଇ ଟ୍ରାଫିକ ବିଭାଗର କର୍ମଚାରୀଙ୍କ ପାଇଁ ନୂଆ ଗାଇଡ୍‌ ଲାଇନ୍‌ ଜାରି ହୋଇଛି। ଏହି ନୂତନ ଗାଇଡ୍‌ ଲାଇନ୍‌ ଅନୁଯାୟୀ ଟ୍ରାଫିକ୍‌ ସିଗ୍‌ନାଲରେ ଠିଆ ହୋଇଥିବା ବିଭାଗର ପ୍ରତ୍ୟେକ ଯବାନ କିମ୍ବା ଅଧିକାରୀ କୌଣସି ବ୍ୟକ୍ତିଙ୍କୁ ବର୍ତ୍ତମାନ ‘ସାର୍‌’, ‘ମ୍ୟାଡାମ୍‌’, ‘ଶ୍ରୀ’ କିମ୍ବା ‘ଶ୍ରୀମତୀ’ ସମ୍ବୋଧନ କରି କଥାବାର୍ତ୍ତା କରିବାକୁ ପଡ଼ିବ। ନାଗରିକଙ୍କ ଭାଷାକୁ ଆଧାର କରି ପୋଲିସ କର୍ମଚାରୀଙ୍କୁ ସମ୍ବୋଧନ ବାଛିବାକୁ ପଡ଼ିବ।

ଏପରିକି ଯଦି ଜଣେ ୧୮ ବର୍ଷୀୟ ବାଳକ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥାଏ, ତେବେ ଟ୍ରାଫିକ କର୍ମଚାରୀ କିମ୍ବା ଅଧିକାରୀ ସେହି ବାଳକଙ୍କୁ ‘ସାର୍‌’ ବୋଲି ସମ୍ବୋଧନ କରି କଥା ହେବାକୁ ପଡ଼ିବ। ମୁମ୍ବାଇ ପୋଲିସ ଟ୍ରାଫିକ ବିଭାଗର ଯୁଗ୍ମ କମିଶନର ଯଶସ୍ବୀ ଯାଦବଙ୍କ କହିବା ଅନୁଯାୟୀ, ‘ପୋଲିଓ ଓ ଜନତାଙ୍କ ମଧ୍ୟରେ ଅଧିକାଂଶ ଝଗଡ଼ା ତୁ’ ଆଦି ଭାଷାରୁ ଆରମ୍ଭ ହୋଇଥାଏ। ଆମେ ଚାହୁଁଛୁ ପୋଲିସ କର୍ମଚାରୀ ଜନସାଧାରଣଙ୍କୁ ସମ୍ମାନ ଦିଅନ୍ତୁ। କିନ୍ତୁ ଯଦି ନିୟମଭଙ୍ଗ ହେଉଛି ତେବେ ଟ୍ରାଫିକ କର୍ମଚାରୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌।’ ଏଠାରେ ଉଲ୍ଲେଖଯୋଗ୍ୟ, ମୁମ୍ବାଇ ଟ୍ରାଫିକ ଦେଶର ସବୁଠାରୁ ଟ୍ରାଫିକ ବିଭାଗ ଅଟେ। ଏଠାରେ ୪,୫୦୦ କର୍ମଚାରୀଙ୍କୁ ଟ୍ରାଫିକରେ ନିଯୁକ୍ତି କରାଯାଇଛି। କିନ୍ତୁ ବର୍ତ୍ତମାନ ୩,୫୦୦ କର୍ମଚାରୀ ଟ୍ରାଫିକ ବିଭାଗରେ କାମ କରୁଛନ୍ତି।

Share